EntertainmentLatest

ଫିଲ୍ମ ‘ହର ହର ମହାଦେବ’କୁ ନେଇ ହଙ୍ଗାମା

ମୁମ୍ବାଇ : (ସଂକେତ୍ ଟିଭି) ମରାଠୀ ଫିଲ୍ମ ‘ହର ହର ମହାଦେବ’କୁ ନେଇ ମହାରାଷ୍ଟ୍ରର ପୁଣେ ଓ ଥାଣେରେ ପ୍ରବଳ ହଙ୍ଗମା ଦେଖିବାକୁ ମିଳିଛି । ଫିଲ୍ମରେ ମରାଠା ଇତିହାସକୁ ବଦଳାଇବା ପାଇଁ ଚେଷ୍ଟା କରାଯାଇଥିବା ଅଭିଯୋଗ କରି କିଛି ସଂଗଠନର ପ୍ରବଳ ବିରୋଧ ପ୍ରଦର୍ଶନ କରିଛନ୍ତି । ସ୍ଥିତିକୁ ଦେଖି ଫିଲ୍ମର ସ୍କ୍ରିନିଂକୁ ଅଧାରୁ ବନ୍ଦ କରି ଦିଆଯାଇଛି । ସେହିପରି ଫିଲ୍ମ ଦେଖିବାକୁ ଯାଇଥିବା ଜଣେ ଦର୍ଶକଙ୍କୁ ମଧ୍ୟ ବିକ୍ଷୋଭକାରୀମାନେ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି ।

ପୁଣେ ସହରରେ ମରାଠା ସଂଗଠନର ସଦସ୍ୟମାନେ ଫିଲ୍ମ ହଲରେ ହଙ୍ଗାମା କରିଥିବା ବେଳେ ଥାଣେରେ ଏନସିପି ନେତା ଜିତେନ୍ଦ୍ର ଅୱାଦଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଆନ୍ଦୋଳନ କରିଛନ୍ତି । ଏନସିପି କର୍ମୀମାନ ଏଠାରେ ଥିବା ଗୋଟିଏ ଫିଲ୍ମରେ ପଶି ଅଧାରୁ ହର ହର ମହାଦେବର ସ୍କ୍ରିନିଂକୁ ବନ୍ଦ କରିଦେଇଛନ୍ତି । ଶୋ’ ବନ୍ଦ ହେବାରୁ ଟିକେଟ ପାଇଁ ଟଙ୍କା ଦେଇଥିବା ଜଣେ ଦର୍ଶକ ଏହାର ଫେରସ୍ତ ଚାହିଁଥିଲେ । ତାଙ୍କର ଏପରି ଦାବିକୁ ବିରୋଧ କରି ଏନସିପି କର୍ମୀମାନେ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଦର୍ଶକଙ୍କୁ ପିଟିବା ଘଟଣାରେ ଥାଣେର ଭର୍ତ୍ତକ ନଗର ପୁଲିସ ଷ୍ଟେସନରେ ଗୋଟିଏ ମାମଲା ରୁଜୁ କରାଯାଇଛି । ମାଡ଼ ଖାଇଥିବା ଦର୍ଶକଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ୧୦୦ ଜଣ ଏନସିପି କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ମାମଲା ରୁଜୁ କରିଛି । ଜିତେନ୍ଦ୍ରଙ୍କ ନାଁ ମଧ୍ୟ ଏଫଆଇଆରରେ ରହିଛି ।