ଟି-୨୦ ବିଶ୍ୱକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ଫାଇନାଲରେ ପାକିସ୍ତାନ

ସିଡନୀ : (ସଂକେତ୍ ଟିଭି) : ଆଜି ଟି-୨୦ ବିଶ୍ୱକପ୍‌ ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡକୁ ପାକିସ୍ତାନ ପରାଜୟ କରିଛି । ନ୍ୟୁଜିଲାଣ୍ଡ ଦଳର ଫାଇନାଲ ଖେଳିବା ଆଶାକୁ ଚୁରମାର କରି ଦେଇଛି ପାକିସ୍ତାନ । ଏହି ପରାଜୟ ନ୍ୟୁଜିଲାଣ୍ଡର ୨୦୧୯ ବିଶ୍ୱକପ କ୍ଷତକୁ ଆହୁରି ତାଜା କରି ଦେଇଛି । ସେମି ଫାଇନାଲରେ ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ହରାଇ ପାକିସ୍ତାନ ଫାଇନାଲର ଗୋଲ୍ଡେନ ଟିକେଟ ହାସଲ କରିଛି ।

ନ୍ୟୁଜିଲାଣ୍ଡର ୧୫୩ ରନର ଲକ୍ଷ୍ୟକୁ ଖୁବ ସହଜରେ ହାସଲ କରି ନେଇଛି ପାକିସ୍ତାନ । ଅଧିନାୟକ ବାବର ଆଜମ ଏବଂ ସାଥୀ ମହମ୍ମଦ ରିଜୱାନ ନ୍ୟୁଜିଲାଣ୍ଡ ହାତରୁ ମ୍ୟାଚ ଛଡାଇ ନେଇଛନ୍ତି । ଧୂଆଁଦାର ଅର୍ଦ୍ଧଶତକ ହାସଲ କରି ଦଳକୁ ଫାଇନାଲରେ ପହଞ୍ଚାଇଛି ଓପନିଙ୍ଗ ଯୋଡି । ଏହି ମ୍ୟାଚରେ ନିଜ ପୁରୁଣା ଫର୍ମକୁ ଫେରିଛନ୍ତି ଅଧିନାୟକ ବାବର ଆଜମ୍ । ୪୨ ବଲରୁ ୭ଟି ଚୌକା ସହ ସେ ୫୩ ରନ୍ ହାସଲ କରିଛନ୍ତି । ତାଙ୍କ ବ୍ୟତୀତ ମହମ୍ମଦ ରିଜୱାନ ମଧ୍ୟ ୪୩ ବଲରୁ ୫୭ ରନର ଦମଦାର ଇନିଂସ ଖେଳି ପାକିସ୍ତାନକୁ ଫାଇନାଲ ଟିକେଟ ଭେଟି ଦେଇଛନ୍ତି ।