ଗଜପତି ମହାରାଜଙ୍କ ବାସଭବନରେ ମହାପ୍ରସାଦ ସେବନ କଲେ ରାଷ୍ଟ୍ରପତି

ଭୁବନେଶ୍ବର : (ସଂକେତ୍ ଟିଭି) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡିଶା ଗସ୍ତରେ ଆସି ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ । ପରେ ସେ ମହାପ୍ରସାଦ ସେବନ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ଗଜପତି ମହାରାଜ, ମହାରାଣୀ ଓ ନିଜର ଝିଅଙ୍କ ସହ ପୁରୀସ୍ଥିତ ରାଜଭବନରେ ମହାପ୍ରସାଦ ସେବନ କରିଛନ୍ତି। ଏନେଇ ରାଷ୍ଟ୍ରପତି ନିଜର ଟୁଇଟର ଆକାଉଣ୍ଟ ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି।

ରାଷ୍ଟ୍ରପତି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ସେ ପ୍ରାୟ ୩୦ ମିନିଟ ଧରି ଶ୍ରୀମନ୍ଦିରରେ ଥିଲେ। ‌ତାଙ୍କର କୌଳିକ ପଣ୍ଡାଙ୍କ ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାପ୍ରଭୁଙ୍କୁ ତୁଳସୀମାଳ ଦେଇଥିଲେ ଏବଂ ଦୀପ ଜାଳିଥିଲେ। ତାପରେ ସେ ମା ବିମଳା ଓ ମହାଲକ୍ଷ୍ମୀଙ୍କ ଦର୍ଶନ କରିଥିଲେ। ଶେଷରେ ସେ ରେଜିଷ୍ଟାରରେ ଦସ୍ତଖତ କରିଥିଲେ। ଜଣେ ସାଧାରଣ ଭକ୍ତଙ୍କ ପରି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ସେବାୟତମାନେ ତାଙ୍କୁ ଆଶୀର୍ବାଦ କରିଥିଲେ। ସେ ବାରମ୍ବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ।