ଦାନାବାନ୍ଧୁଛି ଆଉ ଏକ ଲଘୁଚାପ, ବାତ୍ୟାର ରୂପ ନେବା ଆଶଙ୍କା

ଭୁବନେଶ୍ୱର : (ସଂକେତ୍ ଟିଭି) ଦକ୍ଷିଣ ଆଣ୍ଡାମାନ ସାଗରରେ ଆସନ୍ତା ୧୫ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ ବା ଅବପାତ ରୂପ ନେବ ତାହା ଏବେ ସ୍ପଷ୍ଟ ହୋଇନାହିଁ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ ବିଭିନ୍ନ ମଡେଲ୍‍ର ଆକଳନ ସମ୍ପର୍କରେ ସୂଚନା ଜାରି କରାଯାଇଛି।

ଏଥିରେ କୁହାଯାଇଛି ଯେ ୧୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପ୍ରଭାବରେ ୧୫ ତାରିଖ ବେଳକୁ ଆଣ୍ଡାମାନସାଗର ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ପରବର୍ତ୍ତି ସମୟ ଅର୍ଥାତ ୧୮ ତାରିଖରେ ଏହା ଦକ୍ଷିଣପୂର୍ବ ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ୧୯ ବେଳକୁ ଏକ ଅବପାତରେ ପରିଣତ ହେବ ବୋଲି ବିଭାଗ କହିଛି। ଏହି ଅବପାତରେ ୧୯ ତାରିଖ ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ ବୋଲି ଜିଏଫ୍‍ଏସ୍‍ ଗ୍ରୁପ୍‍ ଆକଳନ କରୁଛି ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଏହି ଲଘୁଚାପଟି ବାତ୍ୟାରେ ପରିଣତ ହୋଇ ନ ପାରେ ବୋଲି ଏନ୍‍ସିଇପି ଓ ଇସିଏମ୍‍ଡବ୍ଲୁଏଫ୍‍ ମଡେଲ୍‍ ଆକଳନ କରୁଛନ୍ତି।