କାର୍ ଭିତରୁ ଜବତ ହେଲା ୨ କୋଟିରୁ ଊର୍ଧ୍ବ ଟଙ୍କା, ୮ ଜଣ ଗିରଫ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ନୋଇଡ଼ାର ସେକ୍ଟର ୫୮ ଅଞ୍ଚ‌ଳରେ ଏକ କାର୍‌ ଭିତରୁ ପୋଲିସ ୨ କୋଟିରୁ ଊର୍ଧ୍ବ ଟଙ୍କା ଜବତ କରିଛି । ଏଥିରେ ସଂପୃକ୍ତ ଥିବା ୮ ଜଣଙ୍କୁ ଗିରଫ କରାଯାଇଛି। ଜବତ ହୋଇଥିବା ଏହି ଟଙ୍କା ସବୁ ହୱାଲା ବ୍ୟବସାୟର ବ‌ୋଲି ପୁଲିସ୍‌ ପ୍ରଥମିକ ତଦନ୍ତ କରି ସନ୍ଦେହ କରୁଛି।

ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ଅହମ୍ମଦାବାଦର ଜୟନ୍ତୀ ଭାଇ, ଦିଲ୍ଲୀର ସନ୍ଦୀପ ଶର୍ମା, ବିଜୟ କୁମାର, ଭିପୁଲ୍‌, ଉତ୍ତର ପଶ୍ଚିମବଙ୍ଗର ଅଭିଜିତ ହାଜରା, ନୋଇଡ଼ା ସେକ୍ଟର ୫୬ର ରୋହିତ ଜୈନ୍‌, ମୁମ୍ବାଇର ମିନେଷ ଶାହା ଓ ଇନ୍ଦୋରର ଅନୁଜ।

ସୂଚନା ଅନୁସାରେ, ସେକ୍ଟର ୫୮ ପୁଲିସ୍‌କୁ ଗୁରୁବାର ସଂଧ୍ୟାରେ ଖବର ମିଳିଥିଲା ଯେ ହୱାଲା ବ୍ୟବସାୟର କିଛି ଲୋକ ସେକ୍ଟର ୫୫ରେ ଏକ ଡିଲ୍‌ କରିବାକୁ ଟଙ୍କା ନେଇ ଆସୁଛନ୍ତି। ତେବେ ସେକ୍ଟର ୫୫ର ପୁଲିସ୍‌ ଟିମ୍‌କୁ ଏ ସଂପର୍କରେ ଖବର ଦିଆଯିବା ପରେ ତୁରନ୍ତ ଚଢ଼ାଉ କରିଥିଲା ପୁଲିସ୍‌। ପୁଲିସ୍‌ ଚଢ଼ାଉ କରି ବିପୁଳ ପରିମାଣର ଟଙ୍କା ଜବତ କରିବା ସହ ୮ ଜଣଙ୍କୁ ଗିରଫ କରିଛି। ତଦନ୍ତ ପରେ ଆୟକର ବିଭାଗ ଏହି ଟଙ୍କା ଗଣନା କରିବ।