ଆମାଜନ୍‌ରେ ୩୫୦୦ରୁ ଅଧିକ କର୍ମଚାରୀଙ୍କ ଛଟେଇ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ମେଟା (ଫେସବୁକ୍) ଓ ଟ୍ବିଟରରେ ଛଟେଇ ପରେ ଏବେ ଇ-କମର୍ସ କମ୍ପାନୀ ଆମାଜନ ତାର କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରିଛି। ଫଳରେ କମ୍ପାନୀରୁ ୩୫୦୦ରୁ ଅଧିକ କର୍ମଚାରୀଙ୍କ ଚାକିରି ଯାଇଛି। ବିଶ୍ବର ଏହି ସର୍ବବୃହତ ଅନ୍‌ଲାଇନ୍ ଖୁଚୁରା ଷ୍ଟୋର୍ ଏହାର କର୍ମଚାରୀଙ୍କୁ ପିଙ୍କ୍ ସ୍ଲିପ୍ ଧରାଇବା ଆରମ୍ଭ କରିଦେଇଛି। ଆମାଜନରେ ଛଟେଇ ପାଇଁ ପ୍ରସ୍ତୁତି ସହ ନୂଆ ନିଯୁକ୍ତି ସ୍ଥଗିତ ରଖିଛି।

ଆମାଜନର ଏହି ଛଟେଇ ଅଭିଯାନରେ କମ୍ପାନୀ ବିଶେଷ କରି ଏହାର ରୋବୋଟିକ୍ସର ସବୁ କର୍ମଚାରୀଙ୍କୁ ବିଦା କରିଛି। କମ୍ପାନୀର ଆର୍ଥିକ ଆହ୍ବାନକୁ ଦୃଷ୍ଟିରେ ରଖି ନିଯୁକ୍ତି ପ୍ରକ୍ରିୟା ବର୍ତ୍ତମାନ ସ୍ଥଗିତ ରଖିଛି। ଲିଙ୍କଡ ଇନ୍‌ ତଥ୍ୟ ମୁତାବକ କମ୍ପାନୀର ରୋବୋଟିକ୍ସ ଡିଭିଜନରେ ଅନୁନ୍ୟ ୩,୭୬୬ କର୍ମଚାରୀ କାମ କରୁଥିଲେ। ତେବେ କେତେ କର୍ମଚାରୀଙ୍କୁ ବାହାର କରାଯାଇଛି ସେ ନେଇ ନିଦ୍ଦିଷ୍ଟ ଭାବେ କିଛି ତଥ୍ୟ ମିଳିନାହିଁ।

ସେହିପରି ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲ ରିପୋର୍ଟ ଅନୁଯାୟୀ ଆମାଜନ୍‌ ଲାଭ କରିପାରୁ ନ ଥିବା ତା’ର କିଛି ୟୁନିଟ୍‌ର କର୍ମଚାରୀଙ୍କୁ ନୂଆ ଚାକିରି ଖୋଜିବା ଲାଗି ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। କାରଣ ଆମାଜନ୍‌ର ଏପରି ପ୍ରକଳ୍ପ ହୁଏତ ବନ୍ଦ ହୋଇପାରେ।

କମ୍ପାନୀର ପ୍ୟୁପିଲ ଏକ୍ସପିରିଏନ୍ସ ଏଣ୍ଡ ଟେକ୍ନୋଲୋଜିର ସିନିୟର ଭାଇସ ପ୍ରେସିଡେଣ୍ଟ ବେଥ୍ ଗେଲେଟି ତାଙ୍କ ମେମୋରେ ‘ଅର୍ଥ ବ୍ୟବସ୍ଥାରେ ଅନିଶ୍ଚିତତା ଓ ଗତ ବର୍ଷମାନଙ୍କରେ ଆମେ କେତେ ଲୋକଙ୍କୁ ନିଯୁକ୍ତ କରିଛୁ ଦେଖିବା ପରେ ଗତ ସପ୍ତାହରେ ନୂଆ ନିଯୁକ୍ତିରେ ବିରାମ ଲଗାଇବାକୁ ନିଷ୍ପତ୍ତି ନେଇଥିବା’ ଉଲ୍ଲେଖ କରିଛନ୍ତି।

ଅର୍ଥ ବ୍ୟବସ୍ଥା ଓ ବିଜନେସ୍‌ରେ ଯାହା କିଛି ବି ପରିବର୍ତ୍ତନ ହେଉଛି ତା ଉପରେ ନଜର ରଖା ଯାଇଛି। ଯାହା ବୁଝାପଡୁଛି ସେହି ଅନୁସାରେ ବିଜନେସ୍‌କୁ ଆଡଜେଷ୍ଟ କରାଯିବ ବୋଲି କହିଛନ୍ତି। ତେବେ ମେମୋରେ କମ୍ପାନୀ କିଛି ସ୍ୱତନ୍ତ୍ର ପ୍ରୋଜେକ୍ଟରେ ନିଯୁକ୍ତି ଜାରି ରହିବ ବୋଲି କହିଛନ୍ତି।

ତେବେ ଏଥିରୁ ଯେଉଁମାନେ ଚାକିରି ଛାଡି ଯିବେ ସେହି ସବୁ ପଦବୀ ପୁଣି ପୁରଣ କରାଯିବ ବୋଲି ମଧ୍ୟ କୁହାଯାଇଛି। ତେବେ ନିଯୁକ୍ତି ଛଟେଇ କମ୍ପାନୀରେ ନୂଆ କଥା ନୁହେଁ ବୋଲି ଉଲ୍ଲେଖ କରାଯାଇଛି। ପୂର୍ବରୁ ମଧ୍ୟ କେତେକ ଅବସରରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ସେ ଉଲ୍ଲେଖ କରିଛନ୍ତି।