ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ନଦେଇ ସାନିଆଙ୍କୁ ବିବାହ କରିଥିଲେ ଶୋଏବ୍

ମୁମ୍ବାଇ: (ସଂକେତ୍ ଟିଭି) ଭାରତୀୟ ଟେନିସ୍ ଷ୍ଟାର୍ ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ମଧ୍ୟରେ ଶୀଘ୍ର ଛାଡପତ୍ର ହେବାର ଖବର ସାମ୍ନାକୁ ଆସୁଛି । ଏପରିକି ପାକିସ୍ତାନୀ ଗଣମାଧ୍ୟମରେ କୁହାଯାଇଛି ଯେ, ସାନିଆ ମିର୍ଜା ଓ ଶୋଏବ ମଲିକ ଅଲଗା ହୋଇଯାଇଛନ୍ତି ।

ତେବେ ଏନେଇ ସାନିଆ ମିର୍ଜା କିମ୍ବା ଶୋଏବ ମଲିକ କିଛି କହିନାହାଁନ୍ତି । ଇନଷ୍ଟାଗ୍ରାମରେ ସାନିଆ ମିର୍ଜା ପୋଷ୍ଟ କରିଥିବା କିଛି ପୁରୁଣା ଫଟୋର କ୍ୟାପସନରେ ସେ ହୃଦୟ ଭାଙ୍ଗିବା ଭଳି କଥା ମଧ୍ୟ କହିଛନ୍ତି ।

ସାନିଆ ମିର୍ଜା ଓ ଶୋଏବ ମଲିକ ୨୦୧୦ରେ ବିବାହ କରିଥିଲେ । ଦୁହେଁ ୧୨ ବର୍ଷ ଏକାଠି ରହୁଥିଲେ । ତେବେ ସାନିଆ ମିର୍ଜା ଶୋଏବ ମଲିକଙ୍କ ପ୍ରଥମ ନୁହେଁ, ବରଂ ଦ୍ୱିତୀୟ ପତ୍ନୀ । ସାନିଆ ମିର୍ଜାଙ୍କ ପୂର୍ବରୁ ଶୋଏବ ମଲିକ ଭାରତରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ଶୋଏବ ମଲିକ ହାଇଦ୍ରାବାଦରେ ବିବାହ କରିଥିଲେ । ତାଙ୍କର ପ୍ରଥମ ପତ୍ନୀଙ୍କ ନାମ ଆୟେଶା ସିଦ୍ଦିକି ।

୨୦୧୦ରେ ଶୋଏବ ମଲିକ ଓ ସାନିଆ ମିର୍ଜାଙ୍କ ବିବାହ ଖବର ପୂର୍ବରୁ ଆୟେଶା ସିଦ୍ଦିକିଙ୍କ ସମ୍ପର୍କ ସାମ୍ନାକୁ ଆସିଥିଲା । ସେତେବେଳେ କୁହାଯାଇଥିଲା ଯେ, ଶୋଏବ ମଲିକ ଆୟେଶା ସିଦ୍ଦିକିଙ୍କଠାରୁ ଛାଡପତ୍ର ନ ହୋଇ ପୁନର୍ବାର ବିବାହ କରିବାକୁ ଚାହୁଁଛନ୍ତି । ତା’ପରେ ଆୟେଶା ସିଦ୍ଦିକି ସମସ୍ତଙ୍କ ସାମ୍ନାରେ ଆସି କହିଥିଲେ ଯେ, ସେ ଶୋଏବ ମଲିକଙ୍କ ପ୍ରଥମ ପତ୍ନୀ ଓ ସେ ଛାଡପତ୍ର ବିନା ପୁନର୍ବାର ବିବାହ କରିପାରିବେ ନାହିଁ । ଏହା ପରେ ଶୋଏବ ମଲିକ ଆୟେଶା ସିଦ୍ଦିକଙ୍କ ସହ କୌଣସି ସମ୍ପର୍କ ରହିଥିବା କଥାକୁ ଅସ୍ୱୀକାର କରିଦେଇଥିଲେ ।