ବଜାରରୁ ୨ ହଜାର ଟଙ୍କିଆ ନୋଟ୍ ଗାଏବ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ୨୦୧୬ ମସିହା ନଭେମ୍ବର ୮ ତାରିଖରେ ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମୁଦ୍ରୀକରଣ ଘୋଷଣା କରିଥିଲେ । ସେ ସମୟରେ ପ୍ରଚଳନ ଥିବା ୫ଶହ ଓ ୧ ହଜାର ଟଙ୍କିଆ ନୋଟ୍‌କୁ ଅଚଳ କରାଯାଇ ବଜାରକୁ ନୂଆ ୫ଶହ ଟଙ୍କିଆ ଓ ୨ ହଜାର ଟଙ୍କିଆ ନୋଟ୍ ଛଡ଼ାଯାଇଥିଲା । ସେ ସମୟରେ ରିଜର୍ଭ ବ୍ୟାଙ୍କ୍ ଆକଳନ କରିଥିଲା ଯେ, ଏହି ନୂଆ ୨ ହଜାର ଟଙ୍କିଆ ନୋଟ୍ ବହୁ ସମସ୍ୟାର ସମାଧାନ କରିଦେବ । ଅନ୍ୟ ନୋଟ୍‌ର କୌଣସି ଆବଶ୍ୟକତା ପଡ଼ିବ ନାହିଁ । କିନ୍ତୁ ବିମୁଦ୍ରୀକରଣର ଗୋଟିଏ ବର୍ଷ ପରେ ଆଉ ବଜାରରେ ୨ ହଜାର ଟଙ୍କିଆ ନୋଟ୍ ଉପଲବ୍ଧ ହେଉନଥିବା ଦେଖିବାକୁ ମିଳୁଛି ।

ଏହାର କାରଣ ମଧ୍ୟ ରିଜର୍ଭ ବ୍ୟାଙ୍କ୍‌ କିମ୍ବା କେନ୍ଦ୍ର ସରକାର ସ୍ପଷ୍ଟ କରୁନାହାନ୍ତି । ତେବେ ବିରୋଧୀ ଅଭିଯୋଗ କରିଛନ୍ତି ଯେ, ୨ ହଜାର ଟଙ୍କିଆ ନୋଟ୍‌ରେ କେନ୍ଦ୍ର ସରକାର କଳାଟଙ୍କାକୁ ପ୍ରୋତ୍ସାହିତ କରୁଛନ୍ତି । ତେବେ ସେ ଯାହା ବି ହେଉନା କାହିଁକି ଏବେ ବଜାରରେ ୨ ହଜାର ଟଙ୍କିଆ ନୋଟ୍ ଉପଲବ୍ଧ ହେବା କାଠିକର ପାଠ ହୋଇପଡ଼ିଛି ।