ଅବିବାହିତ ଝିଅଙ୍କର ଉଚ୍ଚଶିକ୍ଷାର ଖର୍ଚ୍ଚ ବହନ କରିବା ପିତାଙ୍କ ଦାୟିତ୍ୱ

ନୂଆଦିଲ୍ଲୀ: (ସଂକେତ୍ ଟିଭି) ଅବିବାହିତ ଝିଅଙ୍କର ଉଚ୍ଚଶିକ୍ଷାର ଖର୍ଚ୍ଚ ବହନ କରିବା ପିତାଙ୍କ ଦାୟିତ୍ୱ । ଦିଲ୍ଲୀର କଡ଼କଡ଼ଡୁମା ଫ୍ୟାମିଲି କୋର୍ଟ ଏକ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି ।

ଏ ସମ୍ପର୍କରେ ଜଣେ ଝିଅ କୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ। ତାଙ୍କ ଉଚ୍ଚଶିକ୍ଷାର ଖର୍ଚ୍ଚ ତାଙ୍କ ପିତା ବହନ କରିବାକୁ ସେ ଦାବି କରିଥିଲେ। ୧୯ ବର୍ଷ ବୟସ୍କା ଝିଅ କୋର୍ଟରେ ଦାଖଲ କରିଥିବା ତାଙ୍କ ପିଟିଶନରେ କହିଛନ୍ତି ଯେ, ମାଆ ତାଙ୍କର ଅଧ୍ୟୟନ ଖର୍ଚ୍ଚ ବହନ କରିବାକୁ ସକ୍ଷମ ନୁହଁନ୍ତି ଏବଂ ବାପା ଜାଣିଶୁଣି ଖର୍ଚ୍ଚ ବହନ କରୁ ନାହାନ୍ତି ।

ସୂଚନା ଅନୁଯାୟୀ, କଡ଼କଡ଼ଡୁମା ଫ୍ୟାମିଲି କୋର୍ଟ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ ଯଦି ଝିଅ ଅବିବାହିତ ଏବଂ ସେ ଅଧିକ ଅଧ୍ୟୟନ କରିବାକୁ ଚାହାଁନ୍ତି, ତେବେ ତାଙ୍କୁ ଉତ୍ସାହିତ କରାଯିବା ଉଚିତ। ତାଙ୍କର ପାଠପଢ଼ାର ସମସ୍ତ ଦାୟିତ୍ୱ ପିତା ବହନ କରିବା ଆବଶ୍ୟକ। ତେବେ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ସେ ଝିଅକୁ ଅଧିକ ଶିକ୍ଷା ଦେଇ ପାରିବେ କି ନାହିଁ ସେନେଇ ପିତାଙ୍କ ଆର୍ଥିକ ସ୍ଥିତିକୁ ମଧ୍ୟ ଦେଖିବା ଜରୁରୀ। ଯେତେବେଳେ କୋର୍ଟ ଏହି ପ୍ରସଙ୍ଗରେ ରିପୋର୍ଟ ମାଗିଥିଲେ, ସେତେବେଳେ ଜଣାପଡ଼ିଥିଲା ଯେ ଆବେଦନକାରୀଙ୍କ ପିତା ଜଣେ ବ୍ୟବସାୟୀ।

ରିପୋର୍ଟରେ ଦର୍ଶାଯାଇଛି ଯେ ସ୍ବାମୀ-ସ୍ତ୍ରୀ ଅଲଗା ରହୁଛନ୍ତି ଏବଂ ଝିଅ ତାଙ୍କ ମାଙ୍କ ସହ ରୁହନ୍ତି। ଏହି କାରଣରୁ ପିତା ନିଜ ଝିଅର ଉଚ୍ଚଶିକ୍ଷାର ଖର୍ଚ୍ଚ ବହନ କରିବାକୁ ରାଜି ନୁହନ୍ତି।

କୋର୍ଟ କହିଛନ୍ତି ଯେ ଝିଅର ଶିକ୍ଷା ଖର୍ଚ୍ଚ ନଦେବା ପାଇଁ ଏହା ଏକ ଆଧାର ନୁହେଁ। ସ୍ବାମୀ-ସ୍ତ୍ରୀଙ୍କୁ ଅଲଗା ରହିବାକୁ ପଡୁଛି, ଏହାର କିଛି କାରଣ ଥାଇପାରେ। କିନ୍ତୁ ଏହି କାରଣରୁ ଝିଅ ଶିକ୍ଷାରୁ ବଞ୍ଚିତ ହୋଇପାରିବେ ନାହିଁ। ତେଣୁ ପିତାଙ୍କୁ ଅବିବାହିତ ଝିଅର ଉଚ୍ଚଶିକ୍ଷା ଖର୍ଚ୍ଚ ବହନ କରିବାକୁ ପଡିବ ।