ୟୁଟ୍ୟୁବ୍‌ରୁ ପାଠପଢ଼ି ଡାକ୍ତରୀ ପରୀକ୍ଷା ପାସ୍ କଲେ ବିଡି ଶ୍ରମିକର ଝିଅ

ହାଇଦ୍ରାବାଦ : (ସଂକେତ୍ ଟିଭି) ପରିସ୍ଥିତି ଯେମିତି ବି ଥାଉ ଜୀବନରେ କିଛି କରି ଦେଖାଇବାର ସଂକଳ୍ପ ନେବା ଏବଂ ଏହାକୁ ପୂରଣ କରିବା ପାଇଁ ସଂଘର୍ଷ କରିବା ଜରୁରୀ । କୁହାଯାଏ, ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ । ଯଦି କିଛି କରିବାର ଇଚ୍ଛା ଅଛି ତ ସାମର୍ଥ୍ୟ ବି ଈଶ୍ୱର ଦେଇଥାନ୍ତି । ଏହାକୁ ସତ ବୋଲି ପ୍ରମାଣ କରିଛନ୍ତି ହାଇଦ୍ରାବାଦର ହରିକା । ହରିକାଙ୍କ ମା’ ବିଡି କାରଖାନାରେ ଦିନ ମଜୁରିଆ ଥିବା ବେଳେ ହରିକା ଡାକ୍ତର ହେବା ପାଇଁ ସ୍ୱପ୍ନ ଦେଖୁଥିଲେ । ଘରର ଆର୍ଥିକ ଅବସ୍ଥା କ’ଣ ସେ ବିଷୟରେ ଭାବି ଘରେ ବସିବା ଛାଡ଼ି ସେ ନିଜର ପ୍ରସ୍ତୁତି ଜାରି ରଖିଥିଲେ ।

ଏମବିବିଏସ ପଢ଼ିବା ପାଇଁ ହେଉଥିବା ନିଟ୍ ପ୍ରବେଶିକା ପରୀକ୍ଷା ଲାଗି କୋଚିଂ ନେବାକୁ ଆର୍ଥିକ ସମ୍ବଳ ନଥିବାରୁ ସେ ୟୁଟ୍ୟୁବ ଦେଖି ପାଠ ପଢ଼ିବା ଆରମ୍ଭ କଲେ । ଏବେ ତାଙ୍କୁ ତାଙ୍କ ପରିଶ୍ରମର ଫଳ ମିଳିଛି । ବିନା କୋଚିଂରେ ସେ ନିଟ୍ ପରୀକ୍ଷା ପାସ କରିଛନ୍ତି ।

ସୂଚନା ମୁତାବକ, ହରିକା ହାଇଦ୍ରାବାଦର ନିଜାମାବାଦରେ ରହନ୍ତି । ସେ ଶିବକୁମାର ଓ ଅନୁରାଧାଙ୍କ ଝିଅ । ଛୋଟ ବେଳୁ ହରିକା ବାପାଙ୍କୁ ହରାଇଥିବା ବେଳେ ମା’ ଅନୁରାଧା ଏକାକୀ ନିଜ ପରିବାରକୁ ଚଳାଇ ଆସୁଛନ୍ତି । ଘର ଚଳାଇବା ପାଇଁ ଅନୁରାଧା ବିଡି କାରଖାନାରେ ଦିନ ମଜୁରିଆ ଭାବେ କାମ କରୁଛନ୍ତି । ତେବେ ଦ୍ୱାଦଶ ପରୀକ୍ଷାରେ ଭଲ ମାର୍କ ରଖିବା ପରେ ହରିକା ଡାକ୍ତର ହେବାକୁ ସ୍ୱପ୍ନ ଦେଖିଥିଲେ । ହେଲେ ବାଧା ସାଜିଥିଲା ଅର୍ଥ ।

ନିଟ୍ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ବଡ଼ ବଡ଼ କୋଚିଂ ସେଣ୍ଟରରେ କୋଚିଂ ନେଉଥିବା ବେଳେ ହରିକାଙ୍କ ପାଇଁ ତାହା ସମ୍ଭବ ନଥିଲା । ଏଥିପାଇଁ ହରିକା ୟୁଟ୍ୟୁବ ଦେଖି ପାଠ ପଢ଼ିବା ଆରମ୍ଭ କରିଥିଲେ । ଚଳିତ ବର୍ଷର ନିଟ୍‌ ପରୀକ୍ଷାରେ ସେ ଜାତୀୟସ୍ତରରେ ୪୦,୦୦୦ ର‌୍ୟାଙ୍କ ପାଇଥିବାବେଳେ ରାଜ୍ୟସ୍ତରରେ ତାଙ୍କର ରାଙ୍କ ରହିଛି ୭୦୦ । ଯଦିଓ ଏମବିବିଏସ ପଢ଼ିବା ପାଇଁ ତାଙ୍କୁ ସିଟ୍ ମିଳିଛି, ତଥାପି ତାଙ୍କର ସମସ୍ୟା ଶେଷ ହୋଇନାହିଁ । ଏମବିବିଏସ୍‌ ପଢ଼ିବା ପାଇଁ ଆର୍ôଥକ ସାହାଯ୍ୟ କରିବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି ।