ଗୋଟିଏ ପରାଜୟ ପାଇଁ ଦଳକୁ ଜଜ୍‌ କରିବା ଉଚିତ ନୁହେଁ : ତେନ୍ଦୁଲକର

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପରୁ ବିଦାୟ ନେଇସାରିଛି ଭାରତ । କିନ୍ତୁ ସେମି-ଫାଇନାଲରେ ଲଜ୍ଜାଜନକ ପରାଜୟକୁ କେବେ ଭୁଲିବନି ଟିମ୍ ଇଣ୍ଡିଆ। ବିଶ୍ୱକପ ସେମି-ଫାଇନାଲ ଭଳି ମ୍ୟାଚରେ ଭାରତକୁ ୧୦ ୱିକେଟରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛି ଇଂଲଣ୍ଡ ଯାହାକୁ ନେଇ କ୍ରିକେଟ୍ ପ୍ରଶଂସକ ନିରାଶ ହୋଇପଡିଛନ୍ତି । ଏହାରି ମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ।

ତେନ୍ଦୁଲକର କହିଛନ୍ତି, ଇଂଲଣ୍ଡ ବିପକ୍ଷରେ ଭାରତ ଯେଉଁଭଳି ଭାବେ ପରାସ୍ତ ହେଲା ସେଥିରେ ସେ ମଧ୍ୟ ଅତ୍ୟନ୍ତ ନିରାଶ ହୋଇଛନ୍ତି କିନ୍ତୁ ଗୋଟିଏ ପରାଜୟ ପାଇଁ ଦଳକୁ ଜଜ୍ କରିବା ଠିକ୍ ହେବନାହିଁ ଅବଶ୍ୟ ସେମି-ଫାଇନାଲ ଯେହେତୁ ଖୁବ ସମ୍ବେଦନଶୀଳ ଥିଲା । ତଥାପି କ୍ରିକେଟରେ କିଛି ବି ସମ୍ଭବ । ଆମମାନେ ଭାରତୀୟ ଦଳର ପ୍ରଶଂସକ ତେଣୁ ଏଭଳି ସମୟରେ ଦଳକୁ ସମର୍ଥନର ଆବଶ୍ୟକତା ରହିଛି । ସଚିନ କହିଛନ୍ତି, ଭାରତ ଏବେ ବି ଟ୍ୱେଣ୍ଟି ଟ୍ୱେଣ୍ଟି ଫର୍ମାଟ୍‌ ଶୀର୍ଷରେ ରହିଛି । ବିଶ୍ୱର ନଂ.୧ ଟି-୨୦ ଟିମ୍ ଭାବେ ଭାରତ ଏବେ ବି ଦବଦବା ଜାରି ରଖିଛି । ସେହି ଏକ ନମ୍ବର ମାନ୍ୟତା କେବଳ ଗୋଟିଏ ରାତିରେ ମିଳିଯାଇ ନାହିଁ ବରଂ ଦୀର୍ଘଦିନ ଧରି ଭଲ କ୍ରିକେଟ ଖେଳିବା ପରେ ମିଳିଛି । ଯାହାକୁ କି ଭାରତ କରିପାରିଛି ଏହା ସହିତ ସନ୍ତୁଳନ ରକ୍ଷା କରି ଦଳ ସଫଳତା ପାଇପାରିଛି ।