ଏମ ଏସ ଧୋନିଙ୍କୁ ଡିରେକ୍ଟର ଅଫ କ୍ରିକେଟ କରିବ ବିସିସିଆଇ

ମୁମ୍ବାଇ : (ସଂକେତ୍ ଟିଭି) ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ବିସିସିଆଇ ଏକ ବଡ଼ ଦାୟିତ୍ବ ଦେବାକୁ ଯାଉଛି । ଭାରତୀୟ କ୍ରିକେଟରେ ସ୍ଥାୟୀ ଭୂମିକା ପାଇଁ ଧୋନିଙ୍କୁ ଡାକିବାକୁ ବିସିସିଆଇ ବିଚାର କରୁଛି । ଆଇସିସି ଟି-୨୦ ବିଶ୍ୱକପର ସେମିଫାଇନାଲରୁ ବାଦ ପଡ଼ିବା ଓ ବଡ ଟୁର୍ନାମେଣ୍ଟରେ କ୍ରମାଗତ ବିଫଳ ହେବା ପରେ ବିସିସିଆଇ ଏଭଳି ଏକ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛି ।

ରିପୋର୍ଟ ଅନୁଯାୟୀ, ବିସିସିଆଇ ଅନୁଭବ କରୁଛି ଯେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ ପାଇଁ ତିନୋଟି ଫର୍ମାଟରେ ପରିଚାଳନା କାର୍ଯ୍ୟ କରିବା ଟିକେ ଭାରୀ । ଏହାକୁ ଦୃଷ୍ଟିରେ ରଖି ବିସିସିଆଇ କୋଚିଂର ଭୂମିକାକୁ ଭାଗ କରିବାକୁ ଚିନ୍ତା କରୁଛି । ଏହାକୁ ଦୃଷ୍ଟିରେ ରଖି ଧୋନିଙ୍କୁ ଅନ୍ତର୍ଭୁକ୍ତ କରିବା ଓ ଟିମ୍ ଇଣ୍ଡିଆର ସ୍ତର ବଢ଼ାଇକୁ ବିସିସିଆଇ ଉଦ୍ୟମ କରୁଛି । ଖବର ଅନୁଯାୟୀ, ଚଳିତ ମାସ ଶେଷରେ ହେବାକୁ ଥିବା ଆପେକ୍ସ କାଉନସିଲ ବୈଠକରେ ଏହା ଉପରେ ଆଲୋଚନା କରାଯିବ ।

ରିପୋର୍ଟରେ ଦାବି କରାଯାଇଛି ଯେ ମହେନ୍ଦ୍ର ସିଂ ଧୋନି ଆଇପିଏଲ ୨୦୨୩ ଖେଳରୁ ଅବସର ନେଇପାରନ୍ତି । ଯାହା ପରେ ବିସିସିଆଇ ତାଙ୍କୁ ତାଙ୍କ ଅଭିଜ୍ଞତା ଏବଂ କୌଶଳକୁ ସଠିକ୍ ଭାବରେ ବ୍ୟବହାର କରିବା ପାଇଁ ଏକ ବଡ଼ ଦାୟିତ୍ବ ଦେଇପାରେ । ଦୁଇଥର ଭାରତକୁ ବିଶ୍ୱକପ ଚାମ୍ପିୟନ କରାଇଥିବା ମହେନ୍ଦ୍ର ସିଂ ଧୋନିଙ୍କୁ ଟିମ ଇଣ୍ଡିଆ ସହିତ ବିଶେଷ କରି ଟି-୨୦ ଟିମ୍ ଚଳାଇବାକୁ କୁହାଯାଇପାରେ ।