ମଧୁମେହ ବର୍ଷକୁ ନେଉଛି ୧୫ଲକ୍ଷ ଜୀବନ
ନୂଆଦିଲ୍ଲୀ : (ସଂକେତ୍ ଟିଭି) ବିଶ୍ୱ ମଧୁମେହ ଦିବସ ଅବସରରେ ଏହି ରୋଗର ନିରାକରଣ ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରିବା ନିମେନ୍ତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପରାମର୍ଶ ଦେଇଛି । ସମସ୍ତ ସ୍ୱାସ୍ଥ୍ୟକର୍ମୀ ଓ ଜନସାଧାରଣଙ୍କୁ ଡାଇବେଟିସର କାରଣ ଓ ନିରାକରଣ ଉପରେ ଶିକ୍ଷା ଦେବା ଏବଂ ଏହି ରୋଗର ଉନ୍ନତ ଓ ସୁଲଭ ଚିକିତ୍ସା ଉପଲବ୍ଧ କରାଇବା ଉପରେ ହୁ ଗୁରୁତ୍ୱ ଦେଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦକ୍ଷିଣ-ପୂର୍ବ ଏସିଆ ଆଞ୍ଚଳିକ ନିର୍ଦ୍ଦେଶିକା ଡ. ପୁନମ୍ କ୍ଷେତ୍ରପାଳ ସିଂହଙ୍କ କହିବା ଅନୁସାରେ ସାରା ବିଶ୍ୱରେ ପ୍ରାୟ ୪୨୨ ନିୟୁତ ଲୋକଙ୍କର ଡାଇବେଟିସ ଅଛି ଏବଂ ବର୍ଷକୁ ୧୫ ଲକ୍ଷ ଲୋକ ଏହି ରୋଗରେ ମୃତ୍ୟୁବରଣ କରୁଛନ୍ତି । ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳରେ ୯୬ ନିୟୁତ ଲୋକ ଡାଇବେଟିସ ରୋଗରେ ପୀଡ଼ିତ ଥିବାବେଳେ ଆଉ ୯୬ ନିୟୁତ ଲୋକ ଏହି ରୋଗର ପୂର୍ବାବସ୍ଥା (ପ୍ରି-ଡାଇବେଟିକ୍) ଦେଇ ଗତି କରୁଛନ୍ତି ଏବଂ ବର୍ଷକୁ ଅତି କମରେ ୬,୦୦,୦୦୦ ଲୋକ ଏହି ରୋଗଜନିତ କାରଣରୁ ମୃତ୍ୟୁବରଣ କରୁଛନ୍ତି ।
ଯଦି କିଛି ଜରୁରିକାଳୀନ ପଦକ୍ଷେପ ନିଆ ନଯାଏ, ତେବେ ୨୦୪୫ ସୁଦ୍ଧା ଏହି ଅଞ୍ଚଳରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ୬୮ ପ୍ରତିଶତ ବୃଦ୍ଧି ପାଇବ ବୋଲି ଡ ପୁନମ୍ କ୍ଷେତ୍ରପାଳ କହିଛନ୍ତି । ତାଙ୍କ କହିବା ଅନୁସାରେ ଯଦି ଆରମ୍ଭ ଅବସ୍ଥାରୁ ଚିହ୍ନଟ କରା ନଯାଏ ବା ଠିକ ଭାବରେ ପରିଚାଳନା କରା ନ ଯାଏ, ତେବେ ଏହି ରୋଗ ହାର୍ଟ, ରକ୍ତନାଳୀ, ଆଖି, କିଡ୍ନୀ ଓ ସ୍ନାୟୁ ଆଦିକୁ କ୍ଷତି ପହଞ୍ଚାଇ ମରଣପଥ ଉନ୍ମୁକ୍ତ କରିଦେଇପାରେ ।
ଟାଇପ-୨ ଡାଇବେଟିସ ବିଷୟରେ ଡ. କ୍ଷେତ୍ରପାଳ କହିଲେ ଯେ, ନିୟମିତ ଶାରୀରିକ ବ୍ୟାୟାମ ବା ପରିଶ୍ରମ ଓ ସ୍ୱାସ୍ଥ୍ୟକର ଭୋଜନ ଦ୍ୱାରା ଏବଂ ତମାଖୁ ଓ ମଦ ପ୍ରଭୃତି ବର୍ଜନ ଦ୍ୱାରା ଏହା କବଳରୁ ମୁକ୍ତି ମିଳିପାରେ । ଯଦି ଥରେ ଟାଇପ-୨ ଡାଇବେଟିସ୍ ଆରମ୍ଭ ହୋଇଗଲା, ତେବେ ଔଷଧ ସେବନ, ରକ୍ତଚାପ ଓ ଲିପିଡ଼ (ତେଲ ବା ଚର୍ବି ଜାତୀୟ ପଦାର୍ଥ)ର ନିୟନ୍ତ୍ରଣ ଏବଂ ସ୍ୱାସ୍ଥ୍ୟକର ଜୀବନଶେଳୀ ଦ୍ୱାରା ଏହାକୁ ନିୟନ୍ତ୍ରଣ କରିବା ଦରକାର । ଟାଇପ-୧ ଡାଇବେଟିସ ସାଧାରଣତଃ ଶିଶୁ ଓ କିଶୋରମାନଙ୍କୁ ହୋଇଥାଏ । ଦକ୍ଷିଣ-ପୂର୍ବ ଏସୀୟ ଅଞ୍ଚଳରେ ୨୫୦୦୦୦ ଶିଶୁ ଓ କିଶୋର ଏହି ରୋଗରେ ପୀଡ଼ିତଛ ବର୍ତ୍ତମାନ ଏହାର ନିରାକରଣ ସମ୍ଭବ ନ ହେଲେ ବି ଏହାକୁ ନିୟନ୍ତ୍ରଣ କରାଯାଇ ପାରିବ । ଯେଉଁମାନେ ଉଭୟ ପ୍ରକାର ଡାଇବେଟିସ ଦ୍ୱାରା ପୀଡ଼ିତ, ସେମାନଙ୍କ ଜୀବନ ବଞ୍ଚାଇବା ଲାଗି ଇନସୁଲିନ ଆଦି ସହ ସୁଲଭ ଚିକିତ୍ସା ବ୍ୟବସ୍ଥା କରାଯିବା ଦରକାର ବୋଲି ଡ. କ୍ଷେତ୍ରପାଳ କହିଛନ୍ତି ।