କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତାବକୁ ମଞ୍ଜୁରି ସ୍ଥାପନ ହେବ ୧୦୦ ମେଡିକାଲ କଲେଜ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଦେଶରେ ମେଡିକାଲ କଲେଜ ସଂଖ୍ୟା ବୃଦ୍ଧି ପାଇବ । ୨୦୨୭ ସୁଦ୍ଧା ସାରା ଦେଶରେ ଆଉ ୧୦୦ଟି ମେଡିକାଲ କଲେଜ ସ୍ଥାପନ କରାଯିବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଣିଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏଥିରେ ଜିଲ୍ଳାସ୍ତରୀୟ ଡାକ୍ତରଖାନାଗୁଡ଼ିକର ୪ର୍ଥ ଫେଜ୍‌ ଯୋଜନା ଅନୁଯାୟୀ ଉନ୍ନତିକରଣ କରାଯିବ ଏବଂ ସ୍ୱାସ୍ଥ୍ୟକ୍ଷେତ୍ରରେ ମାନବ ସମ୍ବଳ ମଧ୍ୟ ବୃଦ୍ଧି କରାଯିବ ।

ଏହି ମେଡିକାଲ କଲେଜଗୁଡ଼ିକ କେନ୍ଦ୍ର ସରକାରଙ୍କ ଅନୁଦାନପ୍ରାପ୍ତ ଯୋଜନାରେ ଚାଲୁ ହେବ । ଏଥିପାଇଁ କେନ୍ଦ୍ର ପରିଚାଳିତ ଗୋଟିଏ କଲେଜକୁ ୩୨୫ କୋଟି ଟଙ୍କା ଲେଖାଏଁ ଯୋଗାଇ ଦିଆଯିବ । ବିଭିନ୍ନ ଅଞ୍ଚଳ ପାଇଁ ଭିନ୍ନ ଭିନ୍ନ ଅନୁପାତରେ କେନ୍ଦ୍ର ଓ ରାଜ୍ୟ ଅର୍ଥ ବିନିଯୋଗ କରିବେ । ଉତ୍ତର-ପୂର୍ବାଞ୍ଚଳ ଏବଂ ସ୍ୱତନ୍ତ୍ର ରାଜ୍ୟଗୁଡ଼ିକ ପାଇଁ ୯୦:୧୦ ଅନୁପାତରେ କେନ୍ଦ୍ର ଓ ରାଜ୍ୟ ଅର୍ଥ ବିନିଯୋଗ କରିବେ ।

ଅର୍ଥ ବିଭାଗ ସ୍ବାସ୍ଥ୍ୟମନ୍ତ୍ରଣାଳୟର ଏହି ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରିଛି । ଶେଷ ୩ଟି ପର୍ଯ୍ୟାୟରେ ୧୫୭ଟି ମେଡିକାଲ କଲେଜକୁ ଅନୁଦାନ ଯୋଗାଇ ଦିଆଯାଇଛି । ସେଥିରୁ ୯୩ଟି କାର୍ଯ୍ୟକ୍ଷମ ହୋଇଥିବାବେଳେ ଅନ୍ୟଗୁଡ଼ିକ ବିଭିନ୍ନ ଷ୍ଟେଜ୍‌ରେ ନିର୍ମାଣାଧୀନ ରହିଛି । ତେବେ ପ୍ରସ୍ତାବିତ ୧୦୦ଟି ମେଡିକାଲ କଲେଜ ଦେଶର ୧୦୦ଟି ଜିଲ୍ଲାରେ ନିର୍ମାଣ କରାଯିବ । ଯେଉଁଠିକି ଲୋକସଂଖ୍ୟା ୧୦ ଲକ୍ଷରୁ ଅଧିକ ଥିବ ଏବଂ ସେସବୁ ଅଞ୍ଚଳରେ ସରକାରୀ କିମ୍ବା ବେସରକାରୀ ମେଡିକାଲ କଲେଜ ନଥିବ । ଅନ୍ୟପଟେ ଏହି ନୂଆ ମେଡିକାଲ କଲେଜ ବାବଦ ଅର୍ଥକୁ ଅର୍ଥବିଭାଗ କମିଟି ମଞ୍ଜୁରୀ ପ୍ରଦାନ କରିଛି । ଏହାଫଳରେ ଦେଶବାସୀ ସ୍ୱାସ୍ଥ୍ୟସେବା ପାଇବାରେ ସହଜ ହୋଇପାରିବ ।