ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଭରିଲେ ବର୍ଷା, ପ୍ରଦୀପ ଏବଂ ସତ୍ୟଭୂଷଣ

ପଦ୍ମପୁର : (ସଂକେତ୍ ଟିଭି) ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଭରିଲେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ । ପ୍ରାର୍ଥିପତ୍ର ଦାଖଲର ଶେଷ ଦିନରେ ବିଜେଡି ପ୍ରାର୍ଥୀନୀ ବର୍ଷା ବରିହା, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଓ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ବିଜେଡି ପ୍ରାର୍ଥୀନୀ ବର୍ଷା ବରିହା ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ଅବସରେରେ ଦଳର ବହୁ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ। ସେହିପରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଜି ନାମାଙ୍କନ ଭରିଛନ୍ତି। ଏହି ସମୟରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବରିଷ୍ଠ ନେତା କନକବର୍ଦ୍ଧନ ସିଂଦେଓ ଓ ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହାପୂର୍ବରୁ ପ୍ରଦୀପ ପୁରୋହିତ ଗୁରୁଜନମାନଙ୍କ ଆଶୀର୍ବାଦ ନେଇଥିଲେ।

କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ମଧ୍ଯ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଦଳୀୟ ନେତୃବୃନ୍ଦଙ୍କ ସହିତ ସେ ପଦ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ଏବଂ ରିଟର୍ନିଂ ଅଫିସରଙ୍କ ପାଖରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ପିସିସି ସଭାପତି ଶରତ ପଟ୍ଟନାୟକ, ଜିଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ, କଂଗ୍ରେସ ନେତା ନରସିଂହ ମିଶ୍ର, ସନ୍ତୋଷ ସିଂ ସାଲୁଜା ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ବରଗଡ଼ ଜିଲ୍ଲାର ପଦ୍ମପୁର ବିଧାନସଭା ଆସନ ପାଇଁ ଆସନ୍ତା ଡିସେମ୍ବର ୫ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ। ନଭେମ୍ଵର ୧୭ରେ ଅର୍ଥାତ ଆଜି ନାମାଙ୍କନ ଦାଖଲର ଶେଷ ଦିନ ଥିବାବେଳେ​ ୧୮ରେ ନାମାଙ୍କନ ଯାଞ୍ଚ୍ ହେବ । ସେହିଭଳି ନଭେମ୍ବର ୨୧ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଥିବାବେଳେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଡିସେମ୍ବର ୫ରେ ନିର୍ବାଚନ ହେବାକୁ ଥିବାବେଳେ​ ୮ତାରିଖରେ ଭୋଟ ଗଣତି ହେବ।