ଅମର୍ଦ୍ଦା ଏୟାରଷ୍ଟ୍ରିପର ଉନ୍ନତିକରଣ ପାଇଁ ମିଳିଲା ଅନୁମୋଦନ : ଭଏସ ଅଫ ବାଲେଶ୍ବର

ବାଲେଶ୍ବର : (ସଂକେତ୍ ଟିଭି) ଉତ୍ତର ଓଡିଶାବାସୀଙ୍କର ବହୁଦିନର ଆଶା ପୂରଣ ହେବାକୁ ଯାଉଛି । ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ସୀମାନ୍ତ ଅଞ୍ଚଳ ରାସଗୋବିନ୍ଦପୁର(ଅମର୍ଦ୍ଦା ରୋଡ) ଠାରେ ବହୁ ପ୍ରତିକ୍ଷିତ ବିମାନ ବନ୍ଦରର ପ୍ରତିଷ୍ଠା ପାଇଁ ପ୍ରତିରକ୍ଷା ବିଭାଗରୁ ଆବଶ୍ୟକ ଜମି ଓଡ଼ିଶା ସରକାରଙ୍କୁ ହସ୍ତାନ୍ତର କରିବା ପାଇଁ କେନ୍ଦ୍ର (ପ୍ରତିରକ୍ଷା ବିଭାଗ) ପକ୍ଷରୁ ଅନୁମତି ଦିଆଯାଇଛି । ଏଥିପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଆବଶ୍ୟକ ଅନୁମତି ମିଳିଛି ।

ପ୍ରତିରକ୍ଷା ବିଭାଗରୁ ଡିଆରଡିଓ ଏବଂ ଡାଇରେକ୍ଟର ଜେନେରାଲ , ଡିଫେନ୍ସ ଇଷ୍ଟେଟ୍‌କୁ ଚିଠି ଲେଖି ଜଣାଇ ଦିଆଯାଇଛି ଯେ ଏୟାରଷ୍ଟ୍ରିପ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଆବଶ୍ୟକୀୟ ଅନୁମତି ମିଳିସାରିଛି । ଯାହା ବଳରେ ଏଠାରେ ଥିବା ପ୍ରତିରକ୍ଷା ବିଭାଗର ଜମିରୁ ୧୬୦.୩୫ ଏକର ଜମିକୁ ଓଡ଼ିଶା ସରକାର ପ୍ରସ୍ତାବିତ ବିମାନ ବନ୍ଦର ପାଇଁ ଉପଯୋଗ କରି ପାରିବେ । ଏଥିପାଇଁ ଓଡ଼ିଶା ସରକାରକଙ୍କୁ ପ୍ରତିରକ୍ଷା ବିଭାଗକୁ ୨୬ କୋଟି ୦୩ ଲକ୍ଷ ୧୦ ହଜାର ୪୩୮ ଟଙ୍କା ପୈଠ କରିବାକୁ ପଡିବ। ଏହା ସହିତ ଏହି ଜମିର ଉପଯୋଗ ପାଇଁ ଗୋଟିଏ ସ୍ୱତନ୍ତ୍ର ବୋର୍ଡ ଅଫ ଅଫିସର୍ସ (ବିଓଓ) ଗଠନ କରିବାକୁ ହେବ । ଯେଉଁମାନେ କି ଜମିର ବାସ୍ତବ ସ୍ଥିତି, ସୀମା ନିର୍ଦ୍ଧାରଣ, ମୂଲ୍ୟ ତଥା ବିଧିବିଧାନ ଅନୁଯାୟୀ ହସ୍ତାନ୍ତରଣ କାର୍ଯ୍ୟ କରିବେ । ଜମି ଅଧିଗ୍ରହଣ ବେଳେ ସେଠାରେ ଥିବା ସରକାରୀ ଓ ବେସରକାରୀ ନିର୍ମାଣକୁ ହଟାଇବା ପାଇଁ ଆଇନ ଅନୁଯାୟୀ ଆବଶ୍ୟକ କାର୍ଯ୍ୟ କରିବେ ।

ବିଗତ କିଛି ବର୍ଷଧରି ଭଏସ ଅଫ ବାଲେଶ୍ବର ଏୟାରଷ୍ଟ୍ରିପକୁ କାର୍ଯ୍ୟକ୍ଷମ କରିବା ଦାବିରେ ବହୁବାର ସ୍ୱର ଉତ୍ତୋଳନ କରିଆସିଛି । ଅନୁଷ୍ଠାନ ପକ୍ଷରୁ ଗତ ଅକ୍ଟୋବର 26 ତାରିଖରୁ ନଭେମ୍ବର 4 ତାରିଖ ପର୍ଯ୍ୟନ୍ତ ରାସଗୋବିନ୍ଦପୁରରୁ ରାଜଭବନ ପର୍ଯ୍ୟନ୍ତ ସ୍ୱାଭିମାନ ପଦଯାତ୍ରା ମାଧ୍ୟମରେ ରାସଗୋବିନ୍ଦପୁର (ଅମର୍ଦ୍ଦା) ଏୟାରଷ୍ଟ୍ରିପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାର ଦାବୀ କରିଥିଲା । ନିକଟ ଭବିଷ୍ୟତରେ ଏୟାରଷ୍ଟ୍ରିପର କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ଏହି ଘୋଷଣା ତଥା ନିଷ୍ପତି ପାଇଁ ଭଏସ ଅଫ ବାଲେଶ୍ବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମହୋଦୟ , ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ ରାଜ୍ୟସରକାର ଓ ବିଧାୟକ ଶ୍ରୀ ପ୍ରଣବପ୍ରକାଶ ଦାସ (ସାଙ୍ଗଠନିକ ସମ୍ପାଦକ)ଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଛି । ଉକ୍ତ ଆନ୍ଦୋଳନରେ ଆମ ସହ ଜଡ଼ିତ ଓ ସହଯୋଗ କରିଥିବା ସମସ୍ତ ସଂଗଠନ ଓ ବ୍ୟକ୍ତିବିଶେଷ ମାନଙ୍କୁ ଭଏସ୍ ଅଫ୍ ବାଲେଶ୍ୱର ସଂଗଠନ ତରଫରୁ ମଧ୍ୟ ଆନ୍ତରିକ ଧନ୍ୟବାଦ୍ ଜଣାଯାଇଛି ।

ଏନେଇ ଭଏସ ଅଫ ବାଲେଶ୍ୱରର ସଭାପତି ଅରିଜିତ ଘୋଷାଲଙ୍କ ଅଧକ୍ଷତାରେ ଏକ ସାମ୍ବାଦିକ ସମ୍ମଳନୀ ଅନୁଷ୍ଠିତ ହେଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ଅସିତ ଦାସ, ନିଶିତ ବାରିକ, ଶ୍ରୀମାନ ଶ୍ରୀଚନ୍ଦନ, ସନ୍ତୋଷ ଦାସ, ଗୌତମ ସେଠୀ, ସରୋଜ କୁମାର ସାହୁ, ଲମ୍ବୋଦର ବେହେରା,ତାପସ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।