ଅଶୋକା ହୋଟେଲ ବିକ୍ରି ଲାଗି ପ୍ରସ୍ତୁତ

ନୂଆଦିଲ୍ଲୀ : (ସଂକେତ୍ ଟିଭି) କେନ୍ଦ୍ରର ମୋଦି ସରକାର ନ୍ୟାସନାଲ ମନିଟାଇଜ୍ ପାଇପଲାଇନ (ଏନଏମପି) ଯୋଜନାରେ ଦିଲ୍ଲୀର ଚାଣକ୍ୟପୁରୀସ୍ଥିତ ‘ଦି ଅଶୋକା ହୋଟେଲ’ ବିକ୍ରି ଲାଗି ପ୍ରସ୍ତୁତ ହୋଇଛନ୍ତି । ଏହାର ମୂଲ୍ୟ ମଧ୍ୟ ଧାର୍ଯ୍ୟ ହୋଇଯାଇଛି। ଏହି ପ୍ରତିଷ୍ଠିତ ହୋଟେଲର ସାଂକେତିକ ମୂଲ୍ୟ ୭,୪୦୯ କୋଟି ଟଙ୍କା ଧାର୍ଯ୍ୟ କରିଛନ୍ତି।

୨୦୨୧ ମସିହାରେ ହୋଇଥିବା ଏନଏମପି ଯୋଜନାରେ ଅଶୋକା ହୋଟେଲ ଓ ଏହା ନିକଟରେ ଥିବା ହୋଟେଲ ସମ୍ରାଟ ଭାରତୀୟ ପର୍ଯ୍ୟଟନ ବିକାଶ ନିଗମର ସମ୍ପତ୍ତି, ଯାହାକୁ ଏହି ଯୋଜନାରେ ସୂଚୀବଦ୍ଧ କରାଯାଇଛି। ଏ ନେଇ ନିବେଶକଙ୍କ ସହ ବିଚାରବିମର୍ଷ ମଧ୍ୟ ସରିଛି। ଏବେ ହୋଟେଲର ବିକ୍ରି ଲାଗି କେନ୍ଦ୍ର ମନ୍ତ୍ରୀମଣ୍ଡଳର ମଞ୍ଜୁରୀ ଉପରେ ବିଚାର କରାଯାଉଛି।

ଅଶୋକା ହୋଟେଲର ମୌଦ୍ରିକରଣ ଘରୋଇ-ସାର୍ବଜନିକ ଭାଗିଦାରୀ (ପିପିପି) ମୋଡରେ କରାଯିବ। ଏଥିଲାଗି ସାଂକେତିକ ମୂଲ୍ୟ ୭ହଜାର ୪୦୯ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଗଷ୍ଟ ୨୦୨୧ରେ ଏନଏମପିର ଘୋଷଣା କରିଥିଲେ। ଏଥିରେ ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାର ୩୩,୪୨୨କୋଟି ଟଙ୍କାର ଆସେଟ୍ (ପରିସମ୍ପତ୍ତି)ର ମୌଦ୍ରିକରଣ କରିସାରିଲେଣି।

ଦିଲ୍ଲୀର ୨୫ ଏକର ଜମି ଉପରେ ଦି ଅଶୋକା ହୋଟେଲ ରହିଛି। ଏହା ୭ ମହଲା ବିଶିଷ୍ଟ ଓ ଏଥିରେ ୫୫୦ଟି କୋଠରୀ ରହିଛି। ଏହି ହୋଟେଲରେ ବିନା ପିଲରରେ ବିଶାଳ କନଭେନସନ ହଲ ରହିଛି। ଯାହା ଏହାର ଉତ୍କୃଷ୍ଟ ନିର୍ମାଣ କାରିଗରୀର ନିଦର୍ଶନ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁ ହୋଟେଲକୁ ଜମ୍ମୁ-କାଶ୍ମୀର ରାଜ କୁମାର କରଣ ସିଂହଙ୍କ ଦ୍ୱାରା ଦାନରେ ପ୍ରଦତ୍ତ ୨୫ ଏକରର ପାର୍କ ଲ୍ୟାଣ୍ଡ ଉପରେ ନିର୍ମାଣ କରାଇଥିଲେ। ତତ୍କାଳୀନ ପ୍ରଶିଦ୍ଧ ସ୍ଥପତି ଇ.ବି.ଡକ୍ଟରଙ୍କ ନେତୃତ୍ୱରେ ଅଶୋକା ହୋଟେଲର ନକ୍ସା ତିଆରି ହୋଇଥିଲା।