EntertainmentFeaturedLatest

ଅନୁମତି ବିନା ବ୍ୟବହାର ହୋଇପାରିବ ନାହିଁ ବିଗ୍ ବିଙ୍କ ଫଟୋ ଓ କଣ୍ଠସ୍ବର : ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ବିନା ଅନୁମତିରେ ବଲିଉଡ୍‌ ମେଗାଷ୍ଟାର୍‌ ଅମିତାଭ ବଚ୍ଚନଙ୍କ ନାଁ, ଫଟୋ ଓ କଣ୍ଠସ୍ବରର ବେଆଇନ ବ୍ୟବହାର କରାଯାଇପାରିବ ନାହିଁ । ଏହାର ବେଆଇନ ବ୍ୟବହାର ରୋକିବା ଲାଗି ଆଜି ଦିଲ୍ଲୀ ହାଇକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶ ଜାରି କରିଛନ୍ତି। ଜାରି କରିଥିବା ଆଦେଶରେ ଅଦାଲତ ଅଭିନେତା ବଚ୍ଚନଙ୍କ ବ୍ୟକ୍ତିତ୍ବ ଅଧିକାର ଦଖଲ କରିବାରୁ ନିବୃତ ରହିବାକୁ ଜନସାଧାରଣଙ୍କୁ ନିର୍ଦେଶ ଦେଇଛନ୍ତି।

ଅଦାଲତ କହିଛନ୍ତି, ଏକଥା ନିଃସନ୍ଦେହ ଯେ, ଅଭିଯୋଗକାରୀ ଜଣେ ସୁପରିଚିତ ବ୍ୟକ୍ତିତ୍ବ ଏବଂ ସେ କେତେଗୁଡ଼ିଏ ବିଜ୍ଞାପନରେ ପ୍ରତିନିଧିତ୍ବ କରିଛନ୍ତି। ତାଙ୍କ ବିନା ଅନୁମତି ଓ ସ୍ବୀକୃତିରେ ନିଜ ନିଜ ସାମଗ୍ରୀ ଓ ସେବାର ପ୍ରଚାର ପାଇଁ ଅଭିଯୁକ୍ତମାନେ ତାଙ୍କ ‘ସେଲି‌ବ୍ରିଟି ଷ୍ଟାଟସ୍‌’ ବ୍ୟବହାର କରୁଥିବାରୁ ସେ କ‌ଷ୍ଟ ଅନୁଭବ କରୁଛନ୍ତି। ଏହି ମାମଲା ନିଶ୍ଚୟ ବିଚାରଯୋଗ୍ୟ ବୋଲି ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରିତ ପ୍ରାଥମିକ ବିଶ୍ଳେଷଣରୁ ଅନୁମାନ କରାଯାଉଛି।

ଅଦାଲତ କହିଛନ୍ତି ଯେ, ଏହି ଆଦେଶ ଜାରି କରା ନ ଗଲେ ଅମିତାଭ ବଚ୍ଚନଙ୍କର ଭୀଷଣ କ୍ଷତି ଏବଂ କେତେକ କ୍ଷେତ୍ରରେ ତାଙ୍କର ମର୍ଯାଦାହାନୀ ଘଟିପାରେ।

ଉଲ୍ଲେଖଯୋଗ୍ୟ, ଅମିତାଭ ନିଜର ବ୍ୟକ୍ତିଗତ ଅଧିକାରର ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ହାଇକୋର୍ଟରେ ମାମଲା ଦାୟର କରିଥିଲେ । ନ୍ୟାୟମୂର୍ତ୍ତି ନବୀନ ଚାୱଲଙ୍କ ନେତୃତ୍ୱରେ ମାମଲାର ଶୁଣାଣୀ ହୋଇଥିଲା । ସୁପ୍ରସିଦ୍ଧ ଓକିଲ ହରିଶ ସାଲଭେ ବିଗ ବିଙ୍କ ତରଫରୁ କେସ୍ ଲଢ଼ୁଥିଲେ । ଏଥିରେ ଯଦି କୌଣସି ବ୍ୟକ୍ତି ବା ସଂସ୍ଥା ଅମିତାଭଙ୍କ ଅନୁମତି ବିନା ଛବି, ସ୍ୱର କିମ୍ବା ତାଙ୍କ ସହ ଜଡ଼ିତ ଜିନିଷ ପ୍ରୟୋଗ କରନ୍ତି ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଲ୍ଲେଖ ରହିଥିଲା ।