ବନ କର୍ମଚାରୀଙ୍କୁ ଆକ୍ରମଣ କରି ବନ୍ଧା ହେଲେ ୫ ଅଭିଯୁକ୍ତ

ବାରିପଦା : (ସଂକେତ୍ ଟିଭି) ମୟୁରଭଞ୍ଜ ଜିଲ୍ଲା କେନ୍ଦୁମୁଣ୍ଡି ରେଞ୍ଜ ଅଧିନ ଏଦେଲବେଡ଼ା ଗାଁରେ ବନ କର୍ମଚାରୀଙ୍କୁ ଆକ୍ରମଣ କରି ଅଟକ ରଖିବା ଘଟଣାରେ ପୋଲିସ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଏଦେଲବେଡା ଗାଁର ମାଣିକରାମ କଣ୍ଡେୟା, ମୋରା ହୋ, ରାମାୟ କଣ୍ଡେୟା, ଗୋପବନ୍ଧୁ କଣ୍ଡେୟା ଓ ଟୁରି କଣ୍ଡେୟା ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଗତ ୨୮ ତାରିଖ ସନ୍ଧ୍ୟାରେ କେନ୍ଦୁମୁଣ୍ଡି ରେଞ୍ଜ ଅଧିନ ଏଦେଲବେଡ଼ା ଗାଁରେ ବନ୍ୟଜନ୍ତୁ ଶିକାର କରିଥିବାର ବନ ବିଭାଗକୁ ଖବର ଆସିଥିଲା। ରେଞ୍ଜ ଅଧିକାରୀ ଖବର ପାଇ ବନ କର୍ମଚାରୀଙ୍କ ସହ ଘଟଣା ସ୍ଥାନରେ ପହଞ୍ଚି ଥିଲେ । କିନ୍ତୁ ସେଠାରେ ରେଞ୍ଜ ଅଫିସରଙ୍କ ସମେତ ୭ ବନ କର୍ମଚାରୀଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ ସହ ପାଖାପାଖି ୨ଘଣ୍ଟା ଅଟକ ରଖିଥିଲେ ।

ପରେ ଠାକୁରମୁଣ୍ଡା ପୋଲିସ ଓ କରଞ୍ଜିଆ ବନବିଭାଗର ଅଧିକାରୀ ମିଳିତ ଭାବେ ଅଟକ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ଆହତ କର୍ମଚାରୀଙ୍କୁ ପ୍ରଥମେ କରଞ୍ଜିଆ ମେଡିକାଲ ଓ ପରେ କେନ୍ଦୁଝର ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣାରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ଗାଁରେ ଚଢ଼ାଉ କରାଯାଇଥିଲା।

କରଞ୍ଜିଆ ଏସଡିପିଓଙ୍କ ନେତୃତ୍ୱରେ ଏକ ଟିମ ବୁଧବାର ରାତିରେ ଏଦେଲବେଡା ଗାଁରେ ଚଢ଼ାଉ କରି ୫ ଜଣଙ୍କୁ ଗିରଫ କରିଛି ।