CulturalFeaturedLatest

ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିଲେ ବର୍ଷେ ଜେଲ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଇଣ୍ଡୋନେସିଆରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିଲେ ବର୍ଷେ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ । ଏମିତି ଏକ କଠୋର ଆଇନ୍‌ ଆଣିବାକୁ ଯାଉଛି ଇଣ୍ଡୋନେସିଆ ସରକାର । ଏ ସମ୍ପର୍କରେ ଇଣ୍ଡୋନେସିଆ ସଂସଦ ଏକ ନୂତନ ଅପରାଧିକ ବିଲ୍ ପାସ୍ କରିବାକୁ ଯାଉଛି । ଏହି ବିଲ ଅନୁଯାୟୀ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ସ୍ଥାପନ କଲେ ଅଭିଯୁକ୍ତଙ୍କୁ ବର୍ଷେ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ । ସ୍ଥାନୀୟ ଗଣମାଧ୍ୟମରେ ଏହା ପ୍ରକାଶ ପାଇଛି ।

ଏ ସମ୍ପର୍କରେ ଏକ ଚିଠା ପ୍ରସ୍ତୁତ ସରିଥିବା ବେଳେ ଏହାକୁ ଇଣ୍ଡୋନେସିଆ ସଂସଦରେ ଉପସ୍ଥାପନ କରାଯିବ । ଆସନ୍ତା ଦିନରେ ଏହି ନିୟମ ପାରିତ ହେବ ବୋଲି ଆଶା କରାଯାଉଛି । ଯଦି ଏହି ବ୍ୟଭିଚାର ସମ୍ପର୍କରେ କେହି ସ୍ୱାମୀ କିମ୍ବା ସ୍ତ୍ରୀ ଅଭିଯୋଗ ଆଣନ୍ତି କିମ୍ବା କୌଣସି ପିଲା ଯେଉଁ ବାପା-ମାଙ୍କ ଔରସରୁ ଜନ୍ମ ହୋଇଥିବେ ଅଥଚ ବିବାହ ବନ୍ଧନରେ ଆବଦ୍ଧ ନହୋଇ ଦାୟିତ୍ୱରୁ ଖସିବାକୁ ଚାହୁଁଥିବେ ସେ କ୍ଷେତ୍ରରେ ଏହି ଆଇନ୍ ପ୍ରୟୋଗ ହେବ ।

ଧାରା ୧୪୪ ଅନୁଯାୟୀ କୁହାଯାଇଛି, ଯଦି ଟ୍ରାଏଲ ହେବା ପୂର୍ବରୁ କେହି ଚାହାନ୍ତି ତେବେ ମାମଲା ପ୍ରତ୍ୟାହାର କରିନେଇପାରିବେ । ଏହି ବିଲ ତିନି ବର୍ଷ ପୂର୍ବେ ପାରିତ ହେବାର ଥିଲା । କିନ୍ତୁ ଏହି ଆଇନ ବିରୋଧରେ ଦେଶବ୍ୟାପୀ ବିରୋଧ ହେବା ଯୋଗୁ ଏହାକୁ ସ୍ଥଗିତ ରଖାଯାଥିଲା । ଶହ ଶହ ସଂଖ୍ୟାର ଲୋକେ ରାସ୍ତାକୁ ଓହ୍ଲାଇ ସେମାନଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା କ୍ଷୁର୍ଣ୍ଣ ହେବା ଅଭିଯୋଗ ଆଣି ଏହାକୁ ଜୋରଦାର ବିରୋଧ କରିଥିଲେ । କିନ୍ତୁ ନଭେମ୍ବରରେ ଜାକର୍ତ୍ତାର ସଂସଦ କମ୍ପେ୍ଲକ୍ସରେ ଆଲୋଚନା ହେବା ପରେ ପୁଣି ଥରେ ଏହି ଆଇନ୍‌କୁ ଲାଗୁ କରିବା ନେଇ କଥା ଉଠିଛି ।

ଇଣ୍ଡୋନେସିଆର ଡେପୁଟି ନ୍ୟାୟ ମନ୍ତ୍ରୀ ଏଡୱାର୍ଡ ଓମାର ସରିଫ ହିଆରିଜ କହିଛନ୍ତି ଯେ, ଏହି ବିଲ ଇଣ୍ଡୋନେସିଆର ମୂଲ୍ୟବୋଧ ସହିତ ମେଳ ଖାଉଛି । ବିବାହ ପୂର୍ବରୁ ଏକାଠି ରହିବା ମଧ୍ୟ ନିଷେଧ
କରାଯାଇଛି । ଇଣ୍ଡୋନେସିଆ ହେଉଛି ଏକ ମୁସଲିମ ବହୁଳ ଜନସଂଖ୍ୟା ରାଷ୍ଟ୍ର । ଇଣ୍ଡୋନେସିଆରେ ଅନେକ ନିୟମ ରହିଛି ଯାହା ମହିଳା, ଧାର୍ମିକ ସଂଖ୍ୟାଲଘୁ ଏବଂ ଏଲଜିବିଟି ଲୋକଙ୍କ ସହ ଭେଦଭାବ କରେ । ଯଦି ନୂଆ ପରକିୟାପ୍ରୀତି ଅପରାଧିକ ଆଇନ ପାସ ହୁଏ ଏହା ଉଭୟ ଇଣ୍ଡୋନେସିଆ ନାଗରିକ ଏବଂ ବିଦେଶୀମାନଙ୍କ ପାଇଁ ମଧ୍ୟ ପ୍ରଜୁଯ୍ୟ ହେବ ।