ଡ୍ରାଇଭରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ କରିଥିଲେ ଲୁଟ୍, ଧରାପଡିଲେ ୩ ଡକାୟତ

ଭଦ୍ରକ : (ସଂକେତ୍ ଟିଭି) ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧିନ ଅଞ୍ଚଳରେ ୧୬ ନମ୍ବର ଜାତୀୟ ରାଜପଥରେ ପରିବା ଗାଡି ଡ୍ରାଇଭରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ ଘଟଣାରେ ତିନି ଜଣ ଡକାୟତଙ୍କୁ ପୁଲିସ ଗିରଫ କରିଛି ।

ସୂଚନା ଅନସାରେ, ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧିନ ଅଞ୍ଚଳରେ ଦୁର୍ବୁତ୍ତମାନେ ପରିବା ଗାଡି ଡ୍ରାଇଭରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍ କରିଥିଲେ । ଏହି ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଉକ୍ତ ଘଟଣାର ତଦନ୍ତ ଚାଲିଥିବା ବେଳେ ଧାମନଗର ନିକଟରେ ଲୁଟ ଘଟଣାରେ ସଂପୃକ୍ତ ଥିବା ତିନି ଜଣ ଡକାୟତଙ୍କୁ ପୁଲିସ ଗିରଫ କରିଛି ।

ସେମାନେ ଧାମନଗର ଥାନା ଅଧିନ ମୁନସୀପାଟଣା ଅଞ୍ଚଳର ସେକ ସର୍ପଉଦ୍ଦିନ, ସେକ ନିଆମତୁଲା ଓ ହବିବନଗରର ସେକ ସଲିମ ଉଦ୍ଦିନ ବୋଲି ସୂଚନା ମିଳିଛି । ସେମାନଙ୍କ ନିକଟରୁ ଏକ ନମ୍ବର ବିହୀନ ପଲସର ବାଇକ ସହିତ ଏକ ବନ୍ଧୁକ, ଚାରି ହଜାର ଟଙ୍କା ଓ ୩ ଗୋଟି ମୋବାଇଲ ଫୋନ ଜବତ ହୋଇଛି । ଏନେଇ ମାମଲା ରୁଜ୍ଜୁ ହୋଇଥିବା ବେଳେ ଲୁଟେରା ଗ୍ୟାଙ୍ଗର ଗିରଫ ତିନି ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି ।