ବ୍ଲାକମେଲ ର ଶିକାର ହୋଇ ଆତ୍ମହତ୍ୟା କରିଥିଲେ ବ୍ୟାଙ୍କ ମ୍ୟାନେଜର, ୨ ଗିରଫ
ସୋନପୁର: (ସଂକେତ୍ ଟିଭି) ବରଗଡ ଜିଲ୍ଲା ବରପାଲି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜର ଦିବ୍ୟ ରଞ୍ଜନ ମିଶ୍ରଙ୍କ ମୃତ୍ୟୁ ଘଟଣାରେ ସୋନପୁର ପୋଲିସ ରାଜସ୍ଥାନର ୨ ଜଣଙ୍କୁ କାବୁ କରିଛି । ଏହି ଆତ୍ମହତ୍ୟା ଘଟଣାର ୪ ମାସ ପୁରିଯାଇଥିବାବେଳେ ପୋଲିସ ଏହା ଉପରୁ ପରଦା ହଟାଇଛି । ଗିରଫ ଦୁଇ ଜଣ ହେଲେ ଆଦିଲ ଓ ମେହେବୁବ ।
ପୋଲିସ ଏହି ଆତ୍ମହତ୍ୟା ଘଟଣା ପଛରେ ବ୍ୟାକମେଲ୍ର ଥିବା ତଦନ୍ତରୁ ଜାଣିପାରିଥିଲା । ଦିବ୍ୟରଞ୍ଜନ ବ୍ଲାକମେଲରଙ୍କ ଠାରୁ ମୁକୁଳି ପାରି ନ ଥିଲେ। ୨ ମାସ ମଧ୍ୟରେ ତାଙ୍କ ଆକାଉଣ୍ଟରୁ ନିର୍ଦ୍ଦିଷ୍ଟ ୫ ଜଣଙ୍କ ପାଖକୁ ୨୪ ଲକ୍ଷ ୪୦ ହଜାର ଟଙ୍କା ଟ୍ରାନ୍ସଫର ହୋଇଥିବା ତଦନ୍ତରୁ ଜଣାପଡ଼ିଥିଲା। ତେବେ ବ୍ଲାକମେଲରମାନେ ବାହାର ରାଜ୍ୟର ହୋଇଥିବାରୁ ସୋନପୁର ପୁଲିସ ରାଜସ୍ଥାନର ଦୁଇଜଣ ଆଦିଲ ଓ ମେହେବୁବଙ୍କୁ ଗିରଫ କରିଛି ।
ଗତ ଅଗଷ୍ଟ ୧୦ ତାରିଖରେ ବଲାଙ୍ଗିର ଶାନ୍ତିପଡାର ଦିବ୍ୟରଂଜନ ମିଶ୍ର ବରପାଲିରୁ ନିଜ ଘରକୁ ଫେରୁଥିବା ସମୟରେ ନିଖୋଜ ହୋଇଯାଇଥିଲେ । ତିନି ଦିନ ପରେ ଅଙ୍ଗ ନଦୀରୁ ତାଙ୍କ ଶବ ମିଳିଥିଲା । ପରେ ପରେ ଦିବ୍ୟରଞ୍ଜନ ବ୍ଲାକମେଲର ଶିକାର ହୋଇଥିବା ଜଣାପଡିଥିଲା । ହେଲେ ପରିବାର ଲୋକେ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ ଥିବା କହିଥିଲେ।