ବିଜୁ ପଟ୍ଟନାୟକଙ୍କୁ ଦିଆଯାଉ ମରଣୋତ୍ତର ଭାରତ ରତ୍ନ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ରାଜ୍ୟ, ଦେଶ ଓ ଦେଶ ବାହାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ରାଷ୍ଟ୍ର ପ୍ରୀତି, ବୀର ଗାଥା ସର୍ବଜନବିଦିତ । ଏକ ସମୟରେ ଦେଶର ଶୀର୍ଷ ରାଜନୈତିକ ନେତୃତ୍ୱଙ୍କ ନେତା ଭାବରେ ସେ ନିଜକୁ ପ୍ରତିଷ୍ଠିତ କରିବାକୁ ସକ୍ଷମ ହୋଇଥିଲେ । ରାଜ୍ୟ ଓ ଦେଶ ପାଇଁ ତାଙ୍କର ଅବଦାନ ଅନସ୍ୱୀକାର୍ଯ୍ୟ ଏହା ସତ୍ତ୍ୱେ ଦେଶ ତାଙ୍କୁ ଉପଯୁକ୍ତ ସମ୍ମାନ ଦେଇନାହିଁ ।

ତାଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ହୋଇଥିବା ଦାବିକୁ କେନ୍ଦ୍ର ସରକାର ଗ୍ରହଣ କରିନାହାନ୍ତି । ବିଜୁଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ ପାଇଁ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରସ୍ତାବ ଯାଇଛି । ବିଜୁ ଜନତା ଦଳ ଏ ପ୍ରସଙ୍ଗରେ କେନ୍ଦ୍ର ନିକଟରେ ପୂର୍ବରୁ ଦାବି କରିଛି । ସଂସଦର ଉଭୟ ସଦନରେ ବିଜୁ ଜନତା ପକ୍ଷରୁ ବହୁ ବାର ବିଜୁ ବାବୁଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଉ ବୋଲି ଦାବି କରାଯାଇଛି । ଏବେ ଜେଡ଼ି (ୟୁ) ଉଠାଇଛି ବିଜୁଙ୍କୁ ଭାରତ ରତ୍ନ ପ୍ରସ୍ତାବ ।

ସ୍ୱତନ୍ତ୍ର ଭାରତ ଗଠନରେ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ଅତୁଳନୀୟ ଅବଦାନ ରହିଛି ମାତ୍ର କଂଗ୍ରେସ ଓ ବିଜେପି ସରକାର ବିଜୁବାବୁଙ୍କ ଭାରତ ରତ୍ନ ଦେବା ନେଇ ପ୍ରୟାସ କରିନାହାଁନ୍ତି ।ବିଜୁ ବାବୁଙ୍କ ଅବଦାନକୁ ଚିର ସ୍ମରଣୀୟ କରି ରଖିବା ପାଇଁ ତାଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ କରାଯାଉ ବୋଲି ଦାବି କରିଛି ଜେଡିୟୁ ।

ସୋମବାର ଜେଡିୟୁ ନେତା କେ ସି ତ୍ୟାଗୀ ସାମ୍ବାଦିକ ସମ୍ମିଳନୀରେ ବିଜୁଙ୍କ ପ୍ରତି କେନ୍ଦ୍ରର ବିଜେପି ଓ କଂଗ୍ରେସ ସରକାରଙ୍କ ଉପେକ୍ଷା ମନୋଭାବକୁ କଟୁ ସମାଲୋଚନା କରିଛନ୍ତି । ଶ୍ରୀ ତ୍ୟାଗୀ କହିଛନ୍ତି ଯେ ବିଜୁ ପଟ୍ଟନାୟକଙ୍କର କାର୍ଯ୍ୟଶୈଳୀ ଓ ରାଷ୍ଟ୍ର ପ୍ରେମ ସ୍ୱତନ୍ତ୍ର ଓ ଅନନ୍ୟ ଥିଲା ସ୍ୱାଧୀନତା ସଂଗ୍ରାମ ଓ ସ୍ୱାଧୀନତା ପରେ ଭାରତର ରାଜନୈତିକ ଚିତ୍ରପଟ୍ଟରେ ବିଜୁବାବୁଙ୍କ ଗୁରୁତ୍ୱକୁ ଯେକେହି ଅନୁଭବ କରିପାରିବେ ।

ଉତ୍ତର ଭାରତର ନେତା ହୋଇଥିଲେ ସେ ଦେଶର ପ୍ରଧାନମନ୍ତ୍ରୀ ହୋଇପାରି ଥାଆନ୍ତେ । ତାଙ୍କୁ ଏପର୍ଯ୍ୟନ୍ତ ଭାରତରତ୍ନ ନ ମିଳିବା ବିଡ଼ମ୍ବନା । ବିଜୁ ବାବୁଙ୍କୁ ଭାରତ ରତ୍ନ ଦେବା ପାଇଁ ରାଜନୈତିକ ଦଳଗୁଡ଼ିକ ମିଳିତ ଉଦ୍ୟମ କରିବା ଦରକାର । ସେ କେବଳ ଓଡ଼ିଶାର ଗୌରବ ନୁହନ୍ତି, ଜାତୀୟସ୍ତରରେ ତାଙ୍କର ରାଜନୈତିକ ପ୍ରତିଷ୍ଠା ତତ୍କାଳୀନ ନେତାମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା । ଦେଶ ପ୍ରତି ତାଙ୍କ ନିଷ୍ଠାକୁ ସମ୍ମାନ ଜଣାଇ ଭାରତରତ୍ନ ପ୍ରଦାନ କରାଯିବା ଆବଶ୍ୟକ ବୋଲି ଜେଡିୟୁ ନେତା ଶ୍ରୀ ତ୍ୟାଗୀ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଶ୍ରୀକାନ୍ତ ଜେନା ମଧ୍ୟ କେ ସି ତ୍ୟାଗୀଙ୍କ ଦାବିକୁ ସମର୍ଥନ କରିଛନ୍ତି ।