ହତ୍ୟାର ୨୭ ଦିନ ପରେ ପଥର ଫାଙ୍କରୁ ଉଦ୍ଧାର ହେଲା ମହିଳାଙ୍କ ଗଳିତ ଶବ

ବାରିପଦା : (ସଂକେତ୍ ଟିଭି) ୨୭ ଦିନ ଧରି ନିଖୋଜ ଥିବା ମୟୂରଭଞ୍ଜ ଜିଲ୍ଲ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ସଲେଇବେଡା ଗ୍ରାମର ମହିଳାଙ୍କ ଗଳିତ ଶବ ଉଦ୍ଧାର ହୋଇଛି । ଗୁରବାର ଦିନ ଗ୍ରାମ ନିକଟରେ ଥିବା ପାହାଡ଼ର ପଥର ଖୋଲ ଭିତରୁ ପୋଲିସ ଉଦ୍ଧାର କରିଛି। ମହିଳାଙ୍କୁ ହତ୍ୟା ପରେ ବୋହି ନେଇ ଶବକୁ ପଥର ଖୋଲରେ ଲୁଚାଇ ଦେଇଥିବାର ପୋଲିସ ଜାଣିବାକୁ ପାଇଛି। ଏହି ଘଟଣାରେ ସଂପୃକ୍ତ ୪ ଜଣକୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ସଲେଇବେଡା ଗ୍ରାମର ବାନ୍ଧୁ ବାଲମୁଚୁ, ଶ୍ୟାମ ସିଂ ସୟ, ଘନ ବାଲମୁଚୁ, ଦିନ ବନ୍ଧୁ ବାଲମୁଚୁଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ପାଣ୍ଡୁ ବାଙ୍କୀରା ଫେରାର ଥିବାର ଜଣାଯାଇଛି।

ସୂଚନା ଅନୁସାରେ, ସଲେଇବେଡାର ଲାଛୁ ବିରୁଆଙ୍କ ସ୍ତ୍ରୀ କାଇରି ବିରୁଆ ବୟସ (୫୦ ) ଗତ ନଭେମ୍ବର ମାସ ୧୧ ତାରିଖ ଦିନ ଗ୍ରାମ ଠାରୁ ପ୍ରାୟ ୩ କିମି ଦୂର ହାତୀଗୋଡା ସାପ୍ତାହିକ ହାଟକୁ ଯାଇଥିଲେ। ହାଟରୁ ସନ୍ଧ୍ୟା ସମୟରେ ଫେରିବା ବାଟରେ ଗ୍ରାମ ନିକଟ ଛକ ନିକଟରେ ଜଗି ରହିଥିବା ଅଭିଯୁକ୍ତମାନେ ତାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିଲେ। ପରେ ମୃତ ଦେହକୁ ଲୁଚାଇ ଦେଇ ରାତି ପ୍ରାୟ ୩ଟା ବେଳେ ମୃତଦେହକୁ ଏକ ମସାରି ଗୋଡ଼ାଇ ଭାର କରି ଗ୍ରାମ ନିକଟରେ ଥିବା ତିରିଂ ବୁରୁ ପାହାଡ଼କୁ ନେଇ ପ୍ରାୟ ପାହାଡ଼ର ପ୍ରାୟ ୨୦୦ ମିଟର ଉଚ୍ଚରେ ଥିବା ପଥର ଖୋଲ ଭିତରେ ପକାଇ ଦେଇଥିଲେ। କାଇରି ନିଖୋଜ ହେବାର ୮ ଦିନ ପରେ ନଭେମ୍ବର ୨୦ ତାରିଖ ତାଙ୍କ ପୁଅ ଜଗା ବିରୁଆ ଠାକୁରମୁଣ୍ଡା ଥାନାରେ ମାଆର ନିଖୋଜ ଓ ତାଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ କରିଥିଲେ।

ଠାକୁରମୁଣ୍ଡା ଥାନାରେ କେଶ ନମ୍ବର ୧୪୧ ଅନୁଯାୟୀ ମାମଲା ରୁ ହୋଇଥିଲା। ପୋଲିସ ଏହି ଘଟଣାର ଅନୁସନ୍ଧାନ କରି ଅଭିଯୁକ୍ତକୁ ଗିରଫ କରିବା ସହ ଗଳିତ ଶବକୁ ଉଦ୍ଧାର କରିଥିଲା। ଉଦ୍ଧାର ଗଳିତ ଶବକୁ ପରିବାର ଲୋକେ ଚିହ୍ନଟ କରିଥିଲେ। ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବାର ଥାନା ଆଇଆଇସି ରାଞ୍ଜୁ ହସିନା କୁଲୁ ପ୍ରକାଶ କରିଛନ୍ତି।