କର୍କଟ ନିରାକରଣ କ୍ଷେତ୍ରରେ ବଡ଼ ସଫଳତା; କର୍କଟ ସୃଷ୍ଟିକାରୀ ପ୍ରୋଟିନ ଚିହ୍ନଟ

ଭୁବନେଶ୍ୱର : (ସଂକେତ୍ ଟିଭି) ବିଶ୍ୱରେ ପ୍ରଥମ ଥର ପାଇଁ କର୍କଟ ସୃଷ୍ଟିକାରୀ ନୂଆ ପ୍ରୋଟିନ୍‍ ‘ଜିପିଆର-୧୪୧’ ଚିହ୍ନଟ ହୋଇଛି । ଏହି ପ୍ରୋଟିନ୍‍ ମୁଖ୍ୟତଃ ସ୍ତନ କର୍କଟ ରୋଗରେ ଦେଖାଯାଇଥାଏ। ଏବେ ଏହାର ପ୍ରତିରୋଧ ପାଇଁ ଔଷଧ ପ୍ରସ୍ତୁତି ନିମନ୍ତେ ଗବେଷଣା ଆରମ୍ଭ ହୋଇଛି।

ତେବେ ପୂର୍ବରୁ କେବେ ଏହି ପ୍ରୋଟିନ୍‍କୁ ଚିହ୍ନଟ କରାଯାଇ ନଥିଲା। ଏହାକୁ ଓଡ଼ିଶାର ବୈଜ୍ଞାନିକ ଚିହ୍ନଟ କରିଛନ୍ତି । ଆଇଏଲଏସ୍‍ ବେିଜ୍ଞାନିକଙ୍କର ନୂଆ ଉଦ୍ଭାବନ ସମ୍ପର୍କରେ ସୋସାଇଟି ଫର୍‍ ବାୟୋ କେମିକାଲ ରିସର୍ଚ୍ଚ ଦ୍ୱାରା ପରିଚାଳିତ ତଥା ସମ୍ମାନଜନକ ମୋଲିକ୍ୟୁଲାର ଅଙ୍କୋଲୋଜି ଜର୍ଣ୍ଣାଲରେ ପ୍ରକାଶ ପାଇଛି।

ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ୍‍), ଭୁବନେଶ୍ୱରର ବରିଷ୍ଠ ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ ତତ୍ୱାବଧାନରେ ମୋନାଲିସା ପରିଜା ଏହି ସଫଳତା ପାଇଛନ୍ତି। ଡଃ ମିଶ୍ର ଏହା ପୂର୍ବରୁ ମଧ୍ୟ ସ୍ତନ କର୍କଟ ପାଇଁ ଦାୟୀ ଥିବା ଏକ ନୂଆ ଜିନ୍‍କୁ ଚିହ୍ନଟ କରିଥିଲେ। ସମ୍ପ୍ରତି ଏହି ଜିନ୍‍ର ଉପଚାର ପାଇଁ ଡଃ ମିଶ୍ରଙ୍କ ଟିମ୍‍ ଆଇଏଲ୍‍ଏସ୍‍ରେ ଔଷଧ ପ୍ରସ୍ତୁତି ଉପରେ କାମ କରୁଛନ୍ତି। ଏଥିପାଇଁ ସରକାରୀ ଅନୁଦାନ ମିଳି ସାରିଛି। ତେବେ ସମ୍ପ୍ରତି ନୂଆ ପ୍ରୋଟିନ୍‍ ଚିହ୍ନଟ ହୋଇଥିବାରୁ ତାହା ଉପରେ ଔଷଧ ପ୍ରସ୍ତୁତି ପାଇଁ କାମ ଚାଲିଛି।