CulturalLatest

ଭାରତୀୟ ମହିଳା ଅଧିକ ରାଗି

ମୁମ୍ବାଇ : (ସଂକେତ୍ ଟିଭି) ଆମେରିକାରୁ ଆଫ୍ରିକା ଏବଂ ଏସିଆରୁ ୟୁରୋପ ପର୍ଯ୍ୟନ୍ତ, ଗତ ୧୦ ବର୍ଷ ମଧ୍ୟରେ ବିଶ୍ୱ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି । ଏହାସହ ଲୋକମାନଙ୍କର ଚାପ, କ୍ରୋଧ ଏବଂ ଚିନ୍ତା ମଧ୍ୟ ବୃଦ୍ଧି ପାଇବାକୁ ଲାଗୁଛି । ବର୍ତ୍ତମାନ ଲୋକମାନେ ପୂର୍ବ ଅପେକ୍ଷା ଅଧିକ ଦୁଃଖୀ ଏବଂ ଅସନ୍ତୁଷ୍ଟ ରହୁଛନ୍ତି, ସେହିପରି ମହିଳାମାନେ ମଧ୍ୟ ପୁରୁଷଙ୍କଠାରୁ ଅଧିକ ଚାପ ଓ ଅସନ୍ତୁଷ୍ଟରେ ରହୁଛନ୍ତି ।

‘ଗାଲ୍‌ଅପ୍‌ ୱାର୍ଲ୍ଡ ପୋଲ୍‌’ ନାମକ ଏକ ବିଶ୍ୱ ଅନୁସନ୍ଧାନକାରୀ ସଂଘ ୨୦୧୨ ରୁ ୨୦୨୧ ପର୍ଯ୍ୟନ୍ତ ୧୫୦ଟି ଦେଶରେ ୧.୨ ନିୟୁତ ଲୋକଙ୍କୁ ସର୍ଭେ କରି ଲୋକଙ୍କ ପରିବର୍ତ୍ତିତ ମାନସିକ ସ୍ଥିତିକୁ ବୁଝିବା ଏବଂ ଗତ ଦଶନ୍ଧିରେ ସେମାନଙ୍କ ଭାବନାକୁ ବୁଝିବା ପାଇଁ ସର୍ଭେ କରିଥିଲା । ସର୍ଭେ ଅନୁସାରେ,୧୦ ବର୍ଷ ପୂର୍ବେ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ କ୍ରୋଧ ଏବଂ ଚାପର ସ୍ତର ସମାନ ଥିଲା । କିନ୍ତୁ ୧୦ ବର୍ଷ ପରଠାରୁ ମହିଳାମାନଙ୍କ କ୍ଷେତ୍ରରେ ଚାପ ଅଧିକ ବଢ଼ିଛି । ସେମାନେ ବର୍ତ୍ତମାନ ଅଧିକ କ୍ରୋଧିତ ହେଉଛନ୍ତି ।

ପରିସଂଖ୍ୟାନ ଅନୁସାରେ ସମଗ୍ର ବିଶ୍ୱରେ ମହିଳାଙ୍କ ମଧ୍ୟରେ କ୍ରୋଧର ସ୍ତର ପୁରୁଷଙ୍କ ତୁଳନାରେ ୬% ଅଧିକ ରହିଛି । ଭାରତ ଏବଂ ପାକିସ୍ତାନରେ ମହିଳାଙ୍କ ମଧ୍ୟରେ ଚାପ ଏବଂ କ୍ରୋଧର ସ୍ତର ଦୁଇଗୁଣା ଅର୍ଥାତ୍‌ ୧୨ % ରହିଛି । ଭାରତରେ ପୁରୁଷଙ୍କ ମଧ୍ୟରେ ୨୭.୮% କ୍ରୋଧ ଥିବାବେଳେ ମହିଳାମାନଙ୍କ କ୍ଷେତ୍ରରେ ୪୦.୬% ରହିଛି । ବିଶେଷ କରି କରୋନା ମହାମାରୀର ଦୁଇ ବର୍ଷ ସମୟରେ ମହିଳାଙ୍କ କ୍ରୋଧ ଅଧିକ ବୃଦ୍ଧି ପାଇଛି ।

ମନସ୍ତତ୍ୱିତ୍‌ ଡକ୍ଟର ଲକ୍ଷ୍ମୀ ବିଜୟ କୁମାର ସାରା ବିଶ୍ୱରେ ମହିଳାଙ୍କ ମଧ୍ୟରେ ଚାପ ଏବଂ କ୍ରୋଧର କାରଣ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି, ସମସ୍ତ ଦେଶରେ ମହିଳାମାନେ ପୂର୍ବ ଅପେକ୍ଷା ଅଧିକ ଶିକ୍ଷିତ ହୋଇ ଚାକିରି କରିବା ଆରମ୍ଭ କରିଛନ୍ତି । ଏହା ସେମାନଙ୍କୁ ଆତ୍ମବିଶ୍ୱାସ ଦେଇଛି, କିନ୍ତୁ ଗୃହରେ ଘରଣୀ ଓ ବାହାରେ ଚାକିରି କରି ଚଳିବା ଏକ ପ୍ରକାର ଗୁରୁଦାୟିତ୍ୱ ଓ ଶାରୀରିକ କାର୍ଯ୍ୟ ହୋଇଥାଏ ।

ଏହିପରି ସ୍ଥଳରେ ସେମାନଙ୍କ କାର୍ଯ୍ୟ ଉପରେ ଆଙ୍ଗୁଠି ଉଠାଇବା ଓ ସମାନତା ବିଷୟରେ ଆଲୋଚନା କରିବା ମହିଳାମାନଙ୍କର କଷ୍ଟ ଓ ଚିନ୍ତା କ୍ରୋଧରେ ପରିଣତ ହୋଇଥାଏ । ଏହି ଅସନ୍ତୁଳନ ମଧ୍ୟରେ ପୀଡ଼ିତ ମହିଳାମାନେ ବର୍ତ୍ତମାନ ସ୍ୱର ଉତ୍ତୋଳନ କରୁଛନ୍ତି । ଖାଲି ଏତିକି ନୁହେଁ ପୁରୁଷଙ୍କ ଭାବନା ଅନୁସାରେ ମହିଳାମାନେ କମ୍‌ ଓ ନିମ୍ନମାନର କାର୍ଯ୍ୟ କରିଥାନ୍ତି । ଏଣୁ କମ୍‌ ଦରମା ପ୍ରଦାନ ସହ ତାଙ୍କ କାର୍ଯ୍ୟକୁ ଅଣଦେଖା କରାଯାଏ । ଯାହା ଫଳରେ ମହିଳାମାନଙ୍କ ଅସନ୍ତୁଷ୍ଟ ବୃଦ୍ଧି ପାଉଛି । ଏହା ମହିଳାମାନଙ୍କର କ୍ରୋଧର ଆଉ ଏକ କାରଣ ପାଲଟୁଛି ।