ଶିମିଳିପାଳରେ ମହାବଳ ବାଘ ଶିକାର, ଜଣେ ଗିରଫ
ବାରିପଦା : (ସଂକେତ୍ ଟିଭି) ଶିମିଳିପାଳରୁ ଏକ ମହାବଳ ବାଘର ଚମଡ଼ା ଜବତ ହୋଇଛି। ମହାବଳ ବାଘ ଶିକାର ପରେ ଛାଲ ବିକ୍ରି ପାଇଁ ଉଦ୍ୟମ କରୁଥିବା ବେଳେ ଆଜି ସକାଳେ ଶିକାରୀ ଧରା ପଡ଼ି ଯାଇଛନ୍ତି । ଏସ୍ଟିଏଫ୍ ବାଘ ଛାଲ ସହ ଏବେ ସୁଦ୍ଧା ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ୨ ଜଣ କେଉଁଆଡ଼େ ଫେରାର୍ ହୋଇ ଯାଇଛନ୍ତି। ଶିମିଳିପାଳ ଉଦଳା ରେଞ୍ଜର ବିସିପୁର ଅଞ୍ଚଳରୁ ଏହି ବାଘ ଛାଲ ଜବତ ହୋଇଥିବା ସୂଚନା ରହିଛି।
ଉଦଳା ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟା ନିକଟବର୍ତ୍ତୀ ବିସିପୁର ଠାରେ ଭୁବନେଶ୍ବରରୁ ଆସି ସ୍ପେଶାଲ ଟାସ୍କ ଫୋର୍ସର ୭ଜଣିଆ ଟିମ୍ ସମେତ ପୂର୍ବତନ ବନ୍ୟପ୍ରାଣୀ ସଂରକ୍ଷକ ଭାନୁମିତ୍ର ଆଚାର୍ଯ୍ୟ ମଙ୍ଗଳବାର ରାତି ସାଢେ ୨ଟାରୁ ୩ ଘଟିକା ମଧ୍ୟରେ ଗୋଟିଏ ମହାବଳ ବାଘ ଚମଡା ଜବତ କରିବା ସହ ଜଣକୁ ଗିରଫ କରିଛନ୍ତି । ଗିରଫ ବ୍ୟକ୍ତି ଜଣକ ହେଲେ ଦେବକୁଣ୍ଡ ନିକଟ ଶ୍ରୀଦାମଚନ୍ଦ୍ରପୁରର ଫାଗୁ ହାଁସଦା (୨୮)। ତେବେ ଆଉ ଦୁଇଜଣ ସହଯୋଗୀ ରାତି ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଥିବା ସୂଚନା ମିଳିଛି ।