Latest

ଆପ ସରକାରଠୁ ୯୭ କୋଟି ଟଙ୍କା ଆଦାୟ ପାଇଁ ଉପରାଜ୍ୟପାଳଙ୍କ ନିର୍ଦେଶ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ସରକାରୀ ବିଜ୍ଞାପନ ଭାବେ ଦର୍ଶାଇ ୯୭ କୋଟି ଟଙ୍କା ରାଜନୈତିକ ବିଜ୍ଞାପନରେ ଖର୍ଚ୍ଚ କରିଥିବା ଦାବି କରି ଭିକେ ସକ୍ସେନା ଏହି ନିର୍ଦ୍ଦେଶ ଦେଇଛନ୍ତି। ୧୫ ଦିନ ମଧ୍ୟରେ ଦିଲ୍ଲୀ ସରକାରଙ୍କଠାରୁ ଏହି ରକମ ଆଦାୟ କରିବାକୁ ଭି କେ ସକ୍ସେନା ନିର୍ଦ୍ଦେଶ ଦେଇଛନ୍ତି। ଆମ୍‌ ଆଦ୍‌ମୀ ପାର୍ଟି ୨୦୧୬ ମସିହାର ହାଇକୋର୍ଟ ଓ ୨୦୧୫ ମସିହାର ସୁପ୍ରିମ୍‌କୋର୍ଟଙ୍କ ଗାଇଡଲାଇନକୁ ଅବମାନନା କରିଥିବା ସକ୍ସେନା ଅଭିଯୋଗ ଆଣିଛନ୍ତି।

ଅନ୍ୟପକ୍ଷରେ ଉପ-ରାଜ୍ୟପାଳଙ୍କର ଏପରି ନିର୍ଦ୍ଦେଶ ଦେବାର କ୍ଷମତା ନାହିଁ ବୋଲି ଆପ୍ ପକ୍ଷରୁ କହାଯାଇଛି। ଆପ୍‌ର ମୁଖ୍ୟ ମୁଖପାତ୍ର ସେରଭ ଭରଦ୍ବାଜ ଏକ ସାମ୍ବାଦିକ ସମ୍ମିଳନୀରେ ଉପରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ଏକ ନୂଆ ପ୍ରେମ ପତ୍ର ବୋଲି କହି ଥଟ୍ଟା କରିଛନ୍ତି। ଆମେ ଏକ ଜାତୀୟ ଦଳ ବୋଲି ବିଜେପି ସ୍ବୀକାର କରିସାରିଛି। ଉପରାଜ୍ୟପାଳ ସାହେବ ବିଜେପି ଅନୁସାରେ ହିଁ ନିର୍ଦ୍ଦେଶ ଦେଉଛନ୍ତି। ଯାହାକି ଦିଲ୍ଲୀର ଲୋକଙ୍କୁ ଅସୁବିଧାରେ ପକାଉଛି ବୋଲି ଭରଦ୍ବାଜ କହିଛନ୍ତି।

ସୂଚନା ଅନୁସାରେ, ନିୟମ ଉଲ୍ଲଂଘନ କରି ହୋଇଥିବା କିଛି ବିଜ୍ଞାପନକୁ ଚିହ୍ନଟ କରି ସିସିଆର୍‌ଜିଏ ୨୦୧୬ ମସିହାରେ ସୂଚନା ଏବଂ ପ୍ରଚାର ନିର୍ଦ୍ଦେଶାଳୟ (ଡିଆଇପି)କୁ ଆପ୍‌ଠାରୁ ଖର୍ଚ୍ଚ ହୋଇଥିବା ଟଙ୍କାକୁ ଆକଳନ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଡିଆଇପି ଏବେ ତାହାର ଆକଳନ କରି ଆପ୍‌ ରାଜନୈତିକ ବିଜ୍ଞାପନ ଭାବେ ୯୭ କୋଟି ୧୪ ଲକ୍ଷ ୬୯ ହଜାର ୧୩୭ ଟଙ୍କା ଖର୍ଚ୍ଚ କରିଥିବା ରି‌ପୋର୍ଟ ପ୍ରଦାନ କରିଛି।