ଆମେରିକାରେ ବରଫ ଝଡ଼ରେ ମୃତ୍ୟୁ ସଂଖ୍ୟା ୫୦କୁ ବୃଦ୍ଧି, ବିମାନ ଉଡ଼ାଣ ରଦ୍ଦ

ନ୍ୟୁୟର୍କ : (ସଂକେତ୍ ଟିଭି) ବମ୍ ସାଇକ୍ଲୋନ୍ ଆମେରିକାରେ ତାଣ୍ଡବ ରଚୁଛି । ଆମେରିକାର ନ୍ୟୁୟର୍କ ପ୍ରାନ୍ତରେ ଭୀଷଣ ବରଫପାତ ଯୋଗୁ ମୃତ୍ୟୁ ସଂଖ୍ୟା ୫୦ରେ ପହଞ୍ଚିଛି । ବମ୍ ସାଇକ୍ଲୋନରେ ବିଶେଷ କରି ନ୍ୟୁୟର୍କର ବୁଫାଲୋ ଅଞ୍ଚଳ ପ୍ରଭାବିତ ହୋଇଛି । ରାସ୍ତା ପାର୍ଶ୍ବରେ ବରଫ ପାହାଡ଼ ସୃଷ୍ଟି ହୋଇଛି । ବରଫ ଝଡ଼ରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଯିବାରୁ ଲୋକଙ୍କ ଘରେ ବିଜୁଳି ବିଚ୍ଛିନ୍ନ ହୋଇଛି । କେବଳ ନ୍ୟୁୟର୍କ ନୁହେଁ ଆମେରିକାର ଅନ୍ୟ ପ୍ରାନ୍ତ ମଧ୍ୟ ବରଫ ଝଡ଼ରେ ପ୍ରଭାବିତ ହୋଇଛି । ପ୍ରାୟ ୨ଲକ୍ଷରୁ ଅଧିକ ଲୋକ ବରଫପାତରେ ଜୁଝି ହେଉଛନ୍ତି ।

ବରଫ ଝଡ଼ ଯୋଗୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨ଦିନ ମଧ୍ୟରେ ୫୦ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ବରଫପାତ କାରଣରୁ ଲକ୍ଷାଧିକ ଲୋକଙ୍କ ପ୍ରଭାବିତ ହୋଇଛନ୍ତି । ଖରାପ ପାଗ ପାଇଁ ଅଧିକାଂଶ ରାଜ୍ୟରୁ ବିମାନ ଉଡ଼ାଣ ରଦ୍ଦ ହୋଇଛି । ତାପମାତ୍ରା ଶୂନରୁ ତଳକୁ ରହୁଥିବାରୁ ସୋମବାର ପ୍ରାୟ ୩୮ଶହରୁ ଅଧିକ ବିମାନ ଉଡ଼ାଣ ରଦ୍ଦ କରାଯାଇଛି । ଗତ କିଛି ଦିନ ମଧ୍ୟ ପ୍ରାୟ ୧୫ ହଜାରରୁ ଅଧିକ ଜାତୀୟ, ଆନ୍ତର୍ଜାତୀୟ ବିମାନ ଉଡ଼ାଣ ରଦ୍ଦ କରାଯାଇଛି ।