ଡେପୁଟି କଲେକ୍ଟରଙ୍କ ଘରେ ଭିଜିଲାନ୍ସ ଚଢଉ
ବାଲିଆପାଳ : (ଉମାକାନ୍ତ ନାୟକ) ଭିଜିଲାନ୍ସ ଜାଲରେ ଜଗତସିଂପୁର ଡେପୁଟି କଲେକ୍ଟର। ଆୟବହିର୍ଭୁତ ସମ୍ପତ୍ତି ଠୂଳ ଅଭିଯୋଗ ରେ ଜଗତସିଂପୁର ଜିଲ୍ଲା ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲାଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି । ଏହି ଚଢ଼ଉ ପରେ ଡେପୁଟି କଲେକ୍ଟରଙ୍କ ଘରୁ ୮୭ହଜାର ୭୮୫ନଗଦ ଟଙ୍କା ମିଳିଥିବା ଜଣାପଡ଼ିଛି। ଏହା ସହ ୪ଟି ଫ୍ଲାଟ, ଗୋଟିଏ ଦୁଇ ମହଲା ଘର ଏବଂ ୬ଟି ପ୍ଲଟ ଭିଜିଲାନ୍ସ ଠାବ କରିଛି।
ସୂଚନା ଅନୁସାରେ, ଭିଜିଲାନ୍ସ ବିଭାଗର ୨ ଜଣ ଡିଏସ୍ପିଙ୍କ ନେତୃତ୍ବରେ ୧୪ ଜଣ ଇନ୍ସପେକ୍ଟର, ୬ ଜଣ ଏଏସ୍ଆଇ ଓ ଅନ୍ୟ କର୍ମଚାରୀମାନେ ଏହି ଚଢାଉରେ ସାମିଲ ଥିଲେ। ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢାଉ କରାଯାଇଥିଲା ।
ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଡେପୁଟି କଲେକ୍ଟର ଚିତ୍ତରଂଜନଙ୍କ ଭୁବନେଶ୍ବର, ବାଲେଶ୍ବର, ସୋନପୁର ଓ ଜଗତସିଂହପୁର ଠିକଣାରେ ଚଢ଼ଉ କରାଯାଇଥିଲା। ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଚିତ୍ତରଞ୍ଜନଙ୍କ ଚାମ୍ବର, ଭଡ଼ାଘର, ମଞ୍ଚେଶ୍ବର ହର୍ଷପ୍ରିୟା କନଷ୍ଟ୍ରକସନରେ ଥିବା ଫ୍ଲାଟ୍, ରଙ୍ଗମାଟିଆ ହର୍ଷପ୍ରିୟା ଏନକ୍ଲେଭରେ ଥିବା ଫ୍ଲାଟ୍, ଚନ୍ଦକା ଥାନା ନୂଆଗାଁସ୍ଥିତ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍, ବାଲେଶ୍ବର ସୁନାହାଟରେ ଦୁଇଟି ଫ୍ଲାଟ୍, ସୋନପୁର ସହରରେ ଏକ ଦୁଇ ମହଲା କୋଠା, ବାଲିଆପାଳ ନଇଘାଟିରେ ପୈତୃକ ଘର ଉପରେ ଏକା ସାଙ୍ଗରେ ଚଢଉ ହୋଇଥିଲା।