ଆୟକର ରିଟର୍ଣ୍ଣ କ୍ଷେତ୍ରରେ ଆସିପାରେ ସଂସ୍କାର
ନୂଆଦିଲ୍ଲୀ : (ସଂକେତ୍ ଟିଭି) ଟିକସ ସଂଗ୍ରହରେ ୨୬% ଅଭିବୃଦ୍ଧି ହୋଇଛି । ଏଭଳି ସ୍ଥିତିରେ ସରକାର ଟିକସ କ୍ଷେତ୍ରରେ ବିଭିନ୍ନ ସଂସ୍କାର କାର୍ଯ୍ୟକ୍ରମ ହାତନୁ ନେଇ ପାରନ୍ତି । ଟିକସଦାତାଙ୍କ ଅଭିଜ୍ଞତା ଉତ୍ତତ କରିବା ଲାଗି ଆୟକର ରିଟର୍ଣ୍ଣ ଫର୍ମ (ଆଇଟିଆର)କୁ ଉନ୍ନତ କରାଯିବାର କାର୍ଯ୍ୟକ୍ରମ ରହିଛି । ଏବେ ଆୟକର କ୍ଷେତ୍ରରେ ବିଭିନ୍ନ ଫର୍ମ ବ୍ୟବହାର ହେଉଛି । ତେବେ ଏହାକୁ ହ୍ରାସ କରିବା ଦିଗରେ ସରକାର ଅଗ୍ରସର ହେଉଥିବା ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରି କହିଛନ୍ତି । ୨୦୨୨ରେ
ଉଭୟ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ଉନ୍ନତି ଆସିଛି । କରୋନା ମହାମାରୀ ଦ୍ୱାରା ପ୍ରଭାବିତ ଅର୍ଥ ବ୍ୟବସ୍ଥା ସୁଧାରପଥକୁ ଫେରୁଥିବା ଏହା ଦର୍ଶାଉଛି ।
ସେହିଭଳି ଟିକସ ଚୋରୀକୁ ରୋକିବା ଲାଗି ସରକାର ଏବେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି । ଟିକସ ଚୋରୀକୁ ରୋକିବା ଲାଗି ଟିକସ ଡିଡକସନ ନିୟମକୁ ମଧ୍ୟ କଡାକଡି କରିପାରନ୍ତି । ଅନଲାଇନ ଗେମିଂ ବାଦ ଅନଲାଇନ ସେବା ଯୋଗାଣକାରୀ ଏବଂ ଇକମର୍ସଗୁଡିକ ଲାଗି ଏହା ବିଶେଷ କରି ଲାଗୁ ହେବ । ଆସନ୍ତା ବର୍ଷ ଭାରତ ଜି-୨୦ ଦେଶଗୁଡିକର ସମ୍ମିଳନୀ ଆୟୋଜନ କରିବାକୁ ଯାଉଥିବା ବେଳେ କ୍ରିପ୍ଟୋକରେନ୍ସି ଟିକସ ସମ୍ପର୍କିତ ନିୟମକୁ ମଧ୍ୟ ଆହୁରି ସ୍ପଷ୍ଟ କରିବ ବୋଲି କୁହାଯାଉଛି ।
ଲଙ୍ଗ୍ ଟର୍ମ କ୍ୟାପିଟାଲ ଗେନ୍ସ କ୍ଷେତ୍ରରେ ଟିକସ କମିପାରେ । ଗୋଟିଏ ବର୍ଷ ଲାଗି ସେୟାର ଧରି ରଖିବା କ୍ଷେତ୍ରରେ ଏବେ ୧୦% ଟିକସ ଲାଗୁ ହେଉଛି । ସେହିଭଳି ୨ ବର୍ଷରୁ ଅଧିକ ସମୟ ଲାଗି ଅଣ ସୂଚୀଭୁକ୍ତ ସେୟାର ଏବଂ ସମ୍ପତ୍ତି ବିକ୍ରି କ୍ଷେତ୍ର, ଡେଟ୍ ଇନଷ୍ଟ୍ରୁମେଣ୍ଟ, ୩ ବର୍ଷ ଲାଗି ଜୁଏଲେରୀ ରଖିବା କ୍ଷେତ୍ରରେ ଲଙ୍ଗ୍ ଟର୍ମ କ୍ୟାପିଟାଲ ଗେନ୍ସ ଟିକସ ୨୦% ଲାଗୁ ହେଉଛି । ଏ କ୍ଷେତ୍ରରେ ଆସନ୍ତା ବର୍ଷ ନୂଆ ବ୍ୟବସ୍ଥା ଆସିପାରେ । ବ୍ୟକ୍ତିଗତ ଆୟକରଦାତାଙ୍କ ଲାଗି ଏକଜେମସନ ଫ୍ରି ଟିକସ ବ୍ୟବସ୍ଥାକୁ ଆହୁରି ଆକର୍ଷଣୀୟ କରିବାକୁ ସରକାର ପ୍ରସ୍ତାବ ରଖିଛନ୍ତି । ପୁରୁଣା ଏବଂ ଜଟିଳ ବ୍ୟବସ୍ଥାକୁ ବାଦ ଦେବାକୁ ସରକାରଙ୍କ ଯୋଜନା ରହିଛି । ନୂଆ ବ୍ୟବସ୍ଥାରେ ଏକଜେମ୍ସନ ଏବଂ ଡିଡକ୍ସନ ହଟିଯିବ ।
୨୦୨୦-୨୧ ବଜେଟରେ ସରକାର ନୂଆ ଟିକସ ଢ଼ାଞ୍ଚା ଲାଗୁ କରିଥିଲେ ମଧ୍ୟ ଏବେ ସୁଧା ଲୋକପ୍ରିୟ ହୋଇପାରିନାହିଁ । ଅଧିକ ଲୋକ ଯେଭଳି ଏହାକୁ ଗ୍ରହଣ କରିବେ ସେ ନେଇ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ଆୟକର ବିଭାଗ ଯୋଜନା ରଖିଛି । ଅଧିକାଂଶ ଟିକସଦାତାଙ୍କ ଲାଗି ସରକାର ଏକକ ଆଇଟିଆର୍ ଫର୍ମ ଆଣିବାକୁ ଯୋଜନା ରଖିଛନ୍ତି । ତେବେ ବ୍ୟକ୍ତିଗତ ଆୟକର ଦାତାଙ୍କ ଲାଗି ଆଇଟିଆର ୧ ଏବଂ ୪ ଫର୍ମ ଜାରି ରହିବ । ତେବେ ଏହା ମଧ୍ୟରୁ କେଉଁଟିରେ ରିଟର୍ଣ୍ଣ ଫାଇଲ କରିବେ ତାର ବିକଳ୍ପ ଦେବ ବିଭାଗ । ବର୍ତ୍ତମାନ ୭ ପ୍ରକାରର ଆୟକର ରିଟର୍ଣ୍ଣ ଫର୍ମ ରହିଛି । ଯାହାକୁ ବିଭିନ୍ନ ବର୍ଗର ଟିକସଦାତା ରିଟର୍ନ ଫାଇଲ କରିବାକୁ ବ୍ୟବହାର କରୁଛନ୍ତି ।