ବିଗିଡିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଆ ହୀରାବେନଙ୍କ ସ୍ବାସ୍ଥ୍ୟାବସ୍ଥା, ଡାକ୍ତରଖାନାରେ ଭର୍ତ୍ତି

ଅହମ୍ମଦାବାଦ : (ସଂକେତ୍ ଟିଭି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନ ଅସୁସ୍ଥ ହୋଇଛନ୍ତି । ତାଙ୍କୁ ଅହମ୍ମଦାବାଦର ୟୁଏନ ମେହତା ହସ୍ପିଟାଲର କାର୍ଡିଓଲୋଜି ଆଣ୍ଡ ରିସର୍ଚ୍ଚ ସେଣ୍ଟରରେ ଭର୍ତ୍ତି କରାଯାଇଛି । ତାଙ୍କର ଏବେ ଚିକିତ୍ସା ଚାଲିଛି । ହସ୍ପିଟାଲ ପକ୍ଷରୁ ବୟାନ ଜାରି କରି କୁହାଯାଇଛି ଯେ ଏବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି । ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲ ହୀରାବେନଙ୍କ ହାଲଚାଲ ଜାଣିବା ପାଇଁ ହସ୍ପିଟାଲରେ ପହଞ୍ଚିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ମାଆଙ୍କୁ ଭେଟିବା ପାଇଁ ଅପରାହ୍ନରେ ଅହମ୍ମଦାବାଦରେ ପହଞ୍ଚିଛନ୍ତି । ପ୍ରଶାସନ ପକ୍ଷରୁ ହସ୍ପିଟାଲ ଆଖପାଖରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ପ୍ରକାଶଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ମଙ୍ଗଳବାର ଅଚାନକ ଅସୁସ୍ଥ ହୋଇପଡ଼ିଥିଲେ । ଏହାପରେ ତାଙ୍କୁ ଅହମ୍ମଦାବାଦର ୟୁଏନ ମେହତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କଫରେ ପୀଡିତ ଅଛନ୍ତି ହୀରାବେନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରା ବା ଜୁନରେ ହିଁ ୧୦୦ ବର୍ଷରେ ପାଦ ଥାପିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା ହୀରାବେନଙ୍କ ସ୍ବାସ୍ଥ୍ୟ ଖରାପ ହେବା ନେଇ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଭାବୁକ ଟୁଇଟ କରିଛନ୍ତି। ରାହୁଲ ଲେଖିଛନ୍ତି, ମା ଏବଂ ପୁଅ ମଧ୍ୟରେ ପ୍ରେମ ଅନନ୍ତ ଏବଂ ଅମୂଲ୍ୟ ଅଟେ । ମୋଦି ଜୀ, ମୋର ପ୍ରେମ ଏବଂ ସମର୍ଥନ ଏହି କଠିନ ସମୟରେ ଆପଣଙ୍କ ସହିତ ଅଛି। ମୁଁ ଆଶା କରେ ଆପଣଙ୍କ ମା ଶୀଘ୍ର ଭଲ ହୋଇଯିବେ। ରାହୁଲଙ୍କ ଭାବୁକ ଟୁଇଟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।