‘ମେଡ୍ ଇନ୍ ଇଣ୍ଡିଆ’ ସିରପ୍ ପିଇ ଉଜବେକିସ୍ତାନରେ ୧୮ ଜଣ ଶିଶୁଙ୍କ ମୃତ୍ୟୁ
ନୂଆଦିଲ୍ଲୀ : (ସଂକେତ୍ ଟିଭି) ଭାରତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନି ପ୍ରସ୍ତୁତ କରିଥିବା ଏକ ସିରଫ୍ ସେବନ କରିବା ପରେ ଉଜବେକିସ୍ତାନରେ ପ୍ରାୟ ୧୮ ଜଣ ଶିଶୁ ପ୍ରାଣ ହରାଇଛନ୍ତି। ଏ ନେଇ ଉଜବେକିସ୍ତାନର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦାବି କରିଛି।
ଯେଉଁ ଭାରତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନି ବିରୋଧରେ ଉଜବେକିସ୍ତାନର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଭିଯୋଗ କରିଛି, ସେଇଟି ହେଉଛି ମାରିଅନ୍ ବାୟୋଟେକ୍ ପ୍ରାଇଭେଟ୍ ଲିମିଟେଡ୍, ଯାହା ୨୦୧୨ରେ ଉଜବେକିସ୍ତାନରେ ପଞ୍ଜିକୃତ ହୋଇଥିଲା। ଉଜବେକିସ୍ତାନର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ମୃତ୍ୟୁବରଣ କରିଥିବା ପିଲାମାନେ ନୋଏଡା ସ୍ଥିତ ମାରିଅନ୍ ବାୟୋଟେକ୍ ଦ୍ୱାରା ଉତ୍ପାଦିତ ଡକ୍-୧ ମ୍ୟାକ୍ସ ସିରପ୍ ଖାଇଥିଲେ। ତେବେ, ଏ ଅଭିଯୋଗ ସଂପର୍କରେ ସଂପୃକ୍ତ ଫାର୍ମାସ୍ୟୁଟିକାଲ୍ କମ୍ପାନି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।