ଜାନୁୟାରୀ ୨୬ ପୂର୍ବରୁ ଓଡ଼ିଶାରେ ଆରମ୍ଭ ହେବ ୫ଜି ସେବା: ଅଶ୍ୱିନୀ ବୈଷ୍ଣବ
ଭୁବନେଶ୍ୱର : (ସଂକେତ୍ ଟିଭି) ଓଡ଼ିଶାରେ ଆସନ୍ତା ଜାନୁୟାରୀ ୨୬ ପୂର୍ବରୁ ୫ଜି ସେବା ଆରମ୍ଭ ହେବ। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଟେଲିକମ୍ରେ ଅବହେଳା ନେଇ ଯେଉଁ ଅଭିଯୋଗ ହେଉଥିଲା ତାହା ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ଟେଲିକମ୍ରେ ୫ ହଜାର ୬ ଶହ କୋଟି ଦେଇଛନ୍ତି ।
ଭୁବନେଶ୍ୱର ରେଲୱେ ଷ୍ଟେଶନର ନବକଳେବର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅବସରରେ ରେଳ ମନ୍ତ୍ରୀ କହିଛନ୍ତି । ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ରେଳଷ୍ଟେସନ ନବୀକରଣ ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଯୋଗ ଦେଇଛନ୍ତି। ବିଶିଷ୍ଟ ଅତିଥି ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକ ସୁର ରାଉତରାୟ ଓ ବିଧାୟକ ଅନନ୍ତ ନାରାୟଣ ଜେନା ମଧ୍ୟ ଯୋଗ ଦେଇଥିଲେ ।
କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ରେଳ କ୍ଷେତ୍ରରେ ବିକାଶ ପାଇଁ ଓଡ଼ିଶାକୁ ୧୦ ହଜାର କୋଟି ଟଙ୍କା ଦେଇଛନ୍ତି। ଓଡ଼ିଶାର ସର୍ବାଙ୍ଗୀନ ବିକାଶ ଓ ଉନ୍ନତି ପାଇଁ ମୋଦିଙ୍କର ଆନ୍ତରିକ ଇଚ୍ଛା ଅଛି। ରାଜନୀତି ଓ ଦଳୀୟ ମନୋଭାବରୁ ଉପରକୁ ଯାଇ କାମ କରିବାକୁ ସେ ଆହ୍ବାନ ଦେଇଛନ୍ତି। ଠିକ୍ ସେହିପରି ଟେଲିକମ୍ କ୍ଷେତ୍ରରେ ବିକାଶ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ହଜାର ୬୦୦ କୋଟି ଟଙ୍କା ଦେଇଛନ୍ତି। ତେବେ ଆମ ରାଜ୍ୟ ଓଡ଼ିଶାରେ ଜାନୁୟାରୀ ୨୬ ଅର୍ଥାତ୍ ସାଧାରଣତନ୍ତ୍ର ଦିବସ ପୂର୍ବରୁ ୫-ଜି ସେବା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।