ରେଳ ଟିକେଟ ବୁକିଂ କରିଥିବା ତିନି କୋଟି ରେଳଯାତ୍ରୀଙ୍କ ଡାଟା ଲିକ୍‌

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଇବର ହ୍ୟାକରମାନେ ରେଳ ଟିକେଟ ବୁକିଂ କରିଥିବା ୩ କୋଟି ଯାତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିଛନ୍ତି। ଚୋରି ହୋଇଥିବା ଡାଟାରେ ଯାତ୍ରୀଙ୍କର ଇ-ମେଲ୍, ମୋବାଇଲ୍ ନମ୍ବର, ଠିକଣା, ବୟସ ଏବଂ ଲିଙ୍ଗ ସହିତ ଅନେକ ବ୍ୟକ୍ତିଗତ ତଥ୍ୟ ସୂଚନା ଆଦି ସାମିଲ ରହିଛି। ବର୍ତ୍ତମାନ ଏହି ତଥ୍ୟ ଡାର୍କୱେବ୍‌ ମାଧ୍ୟମରେ ବିକ୍ରି କରଯାଉଛି।

ଏମ୍ସର ଡାଟା ଲିକ୍‌ ହେବା ପରେ ଏବେ ବହୁ କୋଟି ରେଳଯାତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହୋଇଛି। ସାଇବର ହ୍ୟାକରମାନେ ରେଳ ଟିକେଟ ବୁକିଂ କରିଥିବା ୩ କୋଟି ଯାତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିଛନ୍ତି। ଏବେ ଯାତ୍ରୀଙ୍କ ତଥ୍ୟ ଚୋରି ହେବା ଘଟଣାରେ ଭାରତୀୟ ରେଳବାଇ ପକ୍ଷରୁ କୌଣସି ବିବୃତି ଜାରି କରାଯାଇନାହିଁ। କିନ୍ତୁ ଦିଲ୍ଲୀ ଏମ୍ସ ପରେ ରେଳବାଇ ସାଇବର ସୁରକ୍ଷା କ୍ଷେତ୍ରରେ ଏହି ଘଟଣା ଏକ ବଡ ଉଲ୍ଲଂଘନ ବୋଲି କୁହାଯାଉଛି।

ଅପରପକ୍ଷେ ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି) ଏହି ସାଇବର ଆକ୍ରମଣ ଆମ ସର୍ଭରରୁ କରାଯାଇନାହିଁ ବୋଲି କହିଛି। ଏହାଛଡା ଆଇଆରସିଟିସି ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିବା ଜଣାଯାଇଛି। ରିପୋର୍ଟ ଅନୁଯାୟୀ, ରେଳଯାତ୍ରୀଙ୍କ ତଥ୍ୟ ଚୋରି ହେବା ଘଟଣା ଚଳିତମାସ ୨୭ରେ ଘଟିଥିଲା।

ଏହି ରିପୋର୍ଟ ଅନୁଯାୟୀ, ଏକ ହ୍ୟାକର ଫୋରମ୍ ଏହି ଘଟଣା ଘଟାଇଛି। ଯଦିଓ ସେହି ହ୍ୟାକର୍ ଫୋରମ ନିଜର ପ୍ରକୃତ ପରିଚୟ ପ୍ରକାଶ କରୁନାହିଁ ହେଲେ ଏହା ‘ସ୍ୟାଡୋହ୍ୟାକର’ ନାମରେ ଜଣାଶୁଣା। ବର୍ତ୍ତମାନ ସେହି ହ୍ୟାକର୍ ଫୋରମ୍ ୩ କୋଟି ଯାତ୍ରୀଙ୍କ ସହ ଜଡ଼ିତ ତଥ୍ୟକୁ ଡାର୍କ ୱେବ ଜରିଆରେ ବିକ୍ରି କରୁଛନ୍ତି। ହ୍ୟାକରଙ୍କର କହିବା ହେଉଛି ସେମାନଙ୍କ ପାଖରେ ରେଳ ଟିକେଟ୍ ବୁକ୍ କରିଥିବା ୩ କୋଟି ଯାତ୍ରୀଙ୍କ ଇ-ମେଲ୍, ମୋବାଇଲ୍ ନମ୍ବର ସମେତ ଅନେକ ବ୍ୟକ୍ତିଗତ ସୂଚନା ଉପଲବ୍ଧ ରହିଛି।

କେବଳ ଏତିକି ନୁହେଁ, ହ୍ୟାକର ଦାବି କରିଛନ୍ତି ଯେ ସେମାନେ ଅନେକ ସରକାରୀ ବିଭାଗର ଅଫିସିଆଲ ଇ-ମେଲ ଆକାଉଣ୍ଟ ମଧ୍ୟ ଚୋରି କରି ନେଇଛନ୍ତି। ଏହି ସରକାରୀ ଇ-ମେଲ ଆକାଉଣ୍ଟ ବିକ୍ରି ପାଇଁ ଡାର୍କ ୱେବ ପାଖରେ ରଖାଯାଇଛି।

ଭାରତୀୟ ରେଳବାଇ ୱେବସାଇଟ କିମ୍ବା ଏହା ଦ୍ୱାରା ପରିଚାଳିତ ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି) ବୁକିଂ ପୋର୍ଟାଲ ହ୍ୟାକ୍ ହୋଇଛି ନା ନାହିଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ଏପରି ଘଟଣା ପ୍ରଥମ ଥର ପାଇଁ ଘଟିନାହିଁ। ପୂର୍ବରୁ ମଧ୍ୟ ସାଇବର ହ୍ୟାକରମାନେ ରେଳବାଇର ଡାଟା ଚୋରି କରିବାକୁ ଉଦ୍ୟମ କରିଛନ୍ତି।