ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବେନ୍‌ ମୋଦୀଙ୍କ ଦେହାନ୍ତ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା ହୀରାବେନ୍‌ ମୋଦୀଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୧୦୦ ବର୍ଷ ବୟସ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ପ୍ରାୟ ୩.୩୦ରେ ଅହମଦାବାଦର ୟୁଏନ୍‌ ମେହଟା ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି।

ସୂଚନାଯୋଗ୍ୟ ଯେ, ଗୁରୁବାର ରାତିରେ ହୀରାବେନ୍‌ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ଚିକିତ୍ସା ପାଇଁ ୧୦୦ ବର୍ଷୀୟା ହୀରାବେନ୍‌ଙ୍କୁ ଅହମଦାବାଦର ୟୁଏନ୍‌ ମେହଟା ଇନଷ୍ଟିଚ୍ୟୁଟ ଅଫ୍‌ କାର୍ଡିଓଲୋଜି ଆଣ୍ଡ୍‌ ରିସର୍ଚ୍ଚ ‌ସେଣ୍ଟର‌‌ରେ ଭର୍ତ୍ତି କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଦିନ ତାଙ୍କ ଅସୁସ୍ଥ ମା’ଙ୍କୁ ଅହମଦାବାଦ ହସ୍ପିଟାଲରେ ଭେଟି ସ୍ବାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ।

ସେ ଆଜି ଟ୍ୱିଟ୍‌ କରି ଲେଖିଛନ୍ତି, ‘‘ଈଶ୍ୱରଙ୍କ ଚରଣରେ ଏକ ଗୌରବମୟ ଶତାବ୍ଦୀର ଅବସାନ ଘଟିଛି। ମା’ଠାରେ ମୁଁ ସବୁବେଳେ ଏହି ତ୍ରିମୂର୍ତ୍ତିକୁ ଅନୁଭବ କରିଛି। ଯେଉଁଠି ଏକ ତପସ୍ବୀର ଯାତ୍ରା, ନିଷ୍କାର୍ମ କର୍ମଯୋଗୀର ପ୍ରତୀକ ଏବଂ ମୂଲ୍ୟବୋଧ ପ୍ରତି ପ୍ରତିବଦ୍ଧ ଜୀବନ ସମାହିତ ହୋଇଛି।’’

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ମାଆ ହୀରାବେନ୍‌ଙ୍କ ଶେଷକୃତ୍ୟରେ ଯୋଗଦେବା ପାଇଁ ଆଜି ପ୍ରତ୍ୟୁଷରୁ ଦିଲ୍ଲୀରୁ ବାହାରି ଅହମଦାବାଦରେ ପହଞ୍ଚିଛନ୍ତି।