ମଦ ପିଇ ଦ୍ରୁତ ଗତିରେ ଗାଡ଼ି ଚଳାଉଥିଲେ କି ଋଷଭ ପନ୍ତ

ନୂଆଦିଲ୍ଲୀ : (ସଂକେତ୍ ଟିଭି) : ଭାରତୀୟ କ୍ରିକେଟର ଋଷଭ ପନ୍ତ ନା ମଦ ପିଇ ଗାଡ଼ି ଚଳାଉଥିଲେ ନା ତାଙ୍କ କାର ଦ୍ରୁତ ଗତିରେ ଚାଲୁଥିଲା । ଦୁର୍ଘଟଣାର ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ, କାରଟି ଋଡ଼କୀ ନିକଟ ଜାତୀୟ ରାଜପଥରେ ରୋଡ୍ ଡିଭାଇଡରକୁ ଯାଇ ଧକ୍କା ଦେଇଛି । ଏହା କହିଛି ଉତ୍ତରାଖଣ୍ଡ ପୋଲିସ । ଋଷଭ ପନ୍ତ ମଦ ପିଇ ଅତ୍ୟଧିକ ଦ୍ରୁତ ଗତିରେ ଗାଡି ଚଳାଉଥିଲେ ବୋଲି ଲୋକେ ଆଶଙ୍ଗା ପ୍ରକାଶ କରୁଥିଲା । ଉତ୍ତରାଖଣ୍ଡ ପୋଲିସ ଏହାକୁ ଖଣ୍ଡନ କରିଛି ।

ହରିଦ୍ୱାର ଏସଏସପି ଅଶୋକ କୁମାର କହିଛନ୍ତି ଯେ, “ଆମେ ୟୁପି ସୀମାରୁ ଦୁର୍ଘଟଣା ସ୍ଥଳ ପର୍ଯ୍ୟନ୍ତ ୧୦ଟି ସ୍ପିଡ କ୍ୟାମେରା ଯାଞ୍ଚ କରିଛୁ, କିନ୍ତୁ ଋଷଭ ପନ୍ତଙ୍କ କାର କୌଣସି ସ୍ଥାନରେ ସ୍ପିଡ ସୀମା ଅତିକ୍ରମ କରି ନାହିଁ ।” ଜାତୀୟ ରାଜପଥରେ ସ୍ପିଡ୍ ଘଣ୍ଟା ପ୍ରତି ୮୦ କିଲୋମିଟର ଅଟେ । ଋଷଭ ପନ୍ତ କେବଳ ଏହି ସ୍ପିଡ୍ ସୀମାରେ ଗାଡି ଚଳାଉଥିଲେ । ଋଷଭ ପନ୍ତଙ୍କ ଗାଡିର ବେଗ ଘଣ୍ଟା ପ୍ରତି ୨୦୦ କିଲୋମିଟର ବୋଲି କୁହାଯାଉଛି । କିନ୍ତୁ ଯଦି କେହି ମଦ ପିଇ ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ ଗାଡି ଚଳାଇ ଦିଲ୍ଲୀରୁ ଆସୁଥିବେ, ତେବେ ଏହା ପୂର୍ବରୁ ମଧ୍ୟ ଦୁର୍ଘଟଣା ଘଟିଥାଇପାରିଥାନ୍ତା ।

ସେପଟେ ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ନିର୍ଦ୍ଦେଶକ ଶ୍ୟାମ ଶର୍ମା ଆହତ ଋଷଭ ପନ୍ତଙ୍କୁ ଦେଖିବା ପାଇଁ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ପହଞ୍ଚିଥିଲେ । ଋଷଭ ପନ୍ତଙ୍କ ସହ କଥା ହେବା ପରେ ଶ୍ୟାମ କହିଛନ୍ତି ଯେ, ତାଙ୍କ ସାମ୍ନାରେ ହଠାତ୍ ବଡ଼ ଖାଲ ଆସିବା କାରଣରୁ ସେ ଏଥିରୁ ବଞ୍ଚିବାକୁ ଯାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଋଷଭ ପନ୍ତ ଖାଲକୁ ଏଡ଼ାଇବାକୁ ଚେଷ୍ଟା କରୁଥିଲା, କିନ୍ତୁ ତା’ପରେ ସେ ଗାଡିର ନିୟନ୍ତ୍ରଣ ହରାଇଥିଲେ ।

ସେ କହିଛନ୍ତି ଯେ, “ମୁଁ ନୈତିକ ସମର୍ଥନ ପାଇଁ ଆସିଛି । ବିସିସିଆଇ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେବ । ସେ ପରିବାର ପରି । ସେ ବର୍ତ୍ତମାନ ଭଲରେ ଅଛନ୍ତି । ସେ ହସୁଛନ୍ତି ଓ ବର୍ତ୍ତମାନ ସୁସ୍ଥ ଅଛନ୍ତି । ଏହା ଭଲ ଯେ ସେ ଶୀଘ୍ର ସୁସ୍ଥ ହେଉଛନ୍ତି । ସେ ବର୍ତ୍ତମାନ ଆଇସିୟୁରେ ଅଛନ୍ତି ।”