୧୭ରୁ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ
ଭୁବନେଶ୍ବର : (ସଂକେତ୍ ଟିଭି) ଜାନୁଆରୀ ୧୭ରୁ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ ହେବ । ରାଜ୍ୟ ବସ ମାଲିକ ସଂଘ ଏହି ଧର୍ମଘଟ କରିବା ପାଇଁ ନିଷ୍ପତ୍ତି ନେଇଛି । ନୂତନଭାବେ ଲାଗୁ କରାଯାଇଥିବା ‘ସ୍କ୍ରାପ୍’ ଆଇନକୁ ବିରୋଧ କରି ଏହି ଆନ୍ଦୋଳନ କରାଯିବ ।
ରାଜ୍ୟ ବସ୍ ମାଲିକ ସଂଘ ଗତ ମାସରେ ରାଜ୍ୟ ସରକାରଙ୍କ ‘ସ୍କ୍ରାପ୍ ପଲିସି’ ନିଷ୍ପତ୍ତିକୁ ବିରୋଧ ତଥା ୮ଦଫା ଦାବିକରି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେଇଥିଲା । ସଂଘ ପକ୍ଷରୁ କରାଯାଇଥିବା ଦାବି ପୂରଣ ନହେଲେ ଆସନ୍ତା ୭ ତାରିଖରେ ଆନ୍ଦୋଳନର ପରବର୍ତ୍ତୀ କାର୍ଯ୍ୟପନ୍ଥା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ଚେତାବନୀ ଦିଆଯାଇଥିଲା। ପରିବହନ ବିଭାଗ ସଚିବ ସଂଘ କର୍ତ୍ତୃପକ୍ଷଙ୍କୁ ଆଲୋଚନା ପାଇଁ ୭ ତାରିଖରେ ଡାକିଥିଲେ। କିନ୍ତୁ, କୌଣସି ନିଷ୍ପତ୍ତି ହୋଇପାରି ନଥିଲା। ଫଳରେ, ରାଜ୍ୟବ୍ୟାପୀ ୧୭ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବସ୍ ଧର୍ମଘଟ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ବୋଲି ସଂଘର ରାଜ୍ୟ ସଂପାଦକ ଦେବେନ୍ଦ୍ର ସାହୁ ଆଜି ସୂଚନା ଦେଇଛନ୍ତି।