ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ନଥିଲେ ଫାଇନ

ଭୁବନେଶ୍ବର : (ସଂକେତ୍ ଟିଭି) ଆସନ୍ତା ୧୫ ତାରିଖରୁ ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଯାଞ୍ଚ କରାଯିବ । ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ନଥିଲେ ଜାନୁଆରୀ ୧୫ ତାରିଖରୁ ୫ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ଚାଲାଣ କଟିବ । ଅତିରିକ୍ତ ପରିବହନ କମିଶନର (ଏନ୍‌ଫୋର୍ସମେଂଟ୍‌) ଲାଲ ମୋହନ ସେଠୀ ଏକ ପ୍ରେସ୍ ରିଲିଜ୍ ଜରିଆରେ ଏହି ସୂଚନା ଦେଇଛନ୍ତି ।

୧.୪.୧୯ ପୂର୍ବରୁ ପଞ୍ଜୀକୃତ ହୋଇଥିବା ଗାଡ଼ି ତଥା ଯେଉଁ ଗୁଡ଼ିକର ଶେଷ ନମ୍ବର ୧,୨,୩,୪,୫ ଓ ୬ରେ ଶେଷ ହୋଇଥିବ, ସେଗୁଡ଼ିକରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲାଗି ନଥିଲେ ଆସନ୍ତା ୧୫ ତାରିଖରୁ ଚାଲାଣ କଟାଯିବ । କାରଣ ଏହି ସବୁ ନମ୍ବର ପାଇଁ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବାର ଧାର୍ଯ୍ୟ ସମୟ ଶେଷ ହୋଇଯାଇଛି । ୨୦୨୨ ଡିସେମ୍ବର ୩୧ ସୁଦ୍ଧା ଏହି ସବୁ ନମ୍ବର ଥିବା ଗାଡ଼ିଗୁଡ଼ିକୁ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବାକୁ କୁହାଯାଇଥିଲା ।

ଓଡ଼ିଶା ରେଜିଷ୍ଟ୍ରେସନ୍ ମାର୍କ ଓ ରେଜିଷ୍ଟ୍ରେସନ୍ ନମ୍ବର ୭ ଏବଂ ୮ ସହିତ ଶେଷ ହେଉଥିବା ଗାଡ଼ି ଗୁଡ଼ିକରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବାର ଶେଷ ତାରିଖ ହେଉଛି ଜାନୁଆରୀ ୩୧ । ସେହିପରି ୯ ଓ ୦ ସହିତ ଶେଷ ହେଉଥିବା ଗାଡ଼ି ଗୁଡିକରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବାର ଶେଷ ତାରିଖ ହେଉଛି ଫେବ୍ରୁଆରୀ ୨୮ । ଏହି ଧାର୍ଯ୍ୟ ସମୟ ଶେଷ ହେଲେ ଏହି ସବୁ ଗାଡ଼ି ଗୁଡ଼ିକର ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଯାଂଚ କରାଯିବ ।

ଅତିରିକ୍ତ ଟ୍ରାନ୍ସପୋର୍ଟ କମିଶନର୍‌ (ଏନ୍‌ଫୋର୍ସମେଂଟ) ଲାଲ ମୋହନ ସେଠୀ କହିଛନ୍ତି, ୯.୧.୨୩ ସୁଦ୍ଧା ସମୁଦାୟ ୩୫,୫୬,୮୧୯ ଗାଡ଼ି ମାଲିକ ସ୍ଲଟ୍ ବୁକ୍ କରିଛନ୍ତି । ଏଥିରୁ ୨୭,୨୪,୯୯୪ଟି ଗାଡ଼ିରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଯାଇଛି ।