ମାଗଣା ଚାଉଳ ବଣ୍ଟନ ଯୋଜନା ହିତାଧିକାରୀଙ୍କୁ ମିଳିବ ସ୍ୱତନ୍ତ୍ର ରସିଦ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ କେନ୍ଦ୍ର ସରକାର ଯେଉଁ ମାଗଣା ଚାଉଳ ବଣ୍ଟନ କରୁଛନ୍ତି ସେହି ଯୋଜନାର ନାମ ପରିବର୍ତ୍ତନ କରାଯାଇଛି । ଏନେଇ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି । ଏହି ଯୋଜନାର ନାମ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ରଖାଯାଇଛି । କୋଭିଡ଼ ସମୟରେ ଗରିବ ପରିବାରକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାସକୁ ୫ କେଜି ଲେଖାଏଁ ଚାଉଳ ମାଗଣା ଦିଆଯାଉଥିଲା ।

ତେବେ ଗତ ଜାନୁଆରୀ ୧ ତାରିଖରୁ ଏହି କାର୍ଯ୍ୟକ୍ରମକୁ ବନ୍ଦ କରି ଦିଆଯାଇଛି । ଖାଦ୍ୟ ସୁରକ୍ଷା ଯୋଜନାରେ ଯେଉଁ ଚାଉଳ ଏକ ଟଙ୍କାରେ ମିଳୁଥିଲା ତାକୁ ସମ୍ପୂର୍ଣ୍ଣ ମାଗଣା କରି ଦିଆଯାଇଛି । ଏହି ଯୋଜନାରେ ଦିଆଯାଉଥିବା ଚାଉଳ ମୂଲ୍ୟ କିଲୋ ପିଛା ୩୨ ଟଙ୍କା ୯୧ ପଇସା ଥିବାବେଳେ ସେଥିରୁ କେନ୍ଦ୍ର ସରକାର ୨୯ ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର ୨ ଟଙ୍କା ୭୬ ପଇସା ଓ ହିତାଧିକାରୀ ୧ ଟଙ୍କା ଦେଉଥିଲେ । ଏଣିକି ସବୁ ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିବେ ।

ଏହି ଯୋଜନା ଫଳରେ ଓଡ଼ିଶାର ୩ କୋଟି ୨୪ ଲକ୍ଷ ୫୭୪ ଲୋକ ଉପକୃତ ହେବେ । ଏଣିକି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ଚାଉଳ ଉଠାଇବା ବେଳେ ହିତାଧିକାରୀଙ୍କୁ ମିଳିବ ସ୍ୱତନ୍ତ୍ର ରସିଦ୍ । ଏହି ରସିଦ୍ ଦେବା ପାଇଁ କେନ୍ଦ୍ର ସରକାର ସବୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ଯଦି ରାଜ୍ୟ ସରକାର ନିଜସ୍ୱ ଯୋଜନାରେ ହିତାଧିକାରୀଙ୍କୁ କୌଣସି ଅତିରିକ୍ତ ଚାଉଳ ଦେଉଥିବେ ତେବେ ଏହାର ଅଲଗା ରସିଦ୍ ପ୍ରସ୍ତୁତ କରିବା ପାଇଁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଯଦି କେନ୍ଦ୍ର ପକ୍ଷରୁ ଚାଉଳ ଦିଆଯାଉଛି ତାହେଲେ ହିତାଧିକାରୀଙ୍କୁ ଦିଆଯାଉଥିବା ଥିବା ରସିଦ୍‌ରେ ସ୍ପଷ୍ଟ ଭାବେ ଏହା କେନ୍ଦ୍ର ସରକାରଙ୍କ ମାଗଣା ଯୋଜନା ବୋଲି ଉଲ୍ଲେଖ ରହିବ । ଏହାସହ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଉଥିବା ସବ୍‌ସିଡି ସମ୍ପର୍କରେ ମଧ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଖୁବ୍‌ଶୀଘ୍ର ରସିଦ୍ ବଣ୍ଟନର ଗୋଟିଏ ଫର୍ମାଟ୍‌ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟଗୁଡିକ ନିକଟକୁ ପଠାଯିବାର ବ୍ୟବସ୍ଥା କରାଯାଉଛି । ଏହା ବ୍ୟତୀତ ଜାତୀୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ବାୟୋମେଟ୍ରିକ୍ ବ୍ୟବସ୍ଥା କରିବାକୁ ମଧ୍ୟ କୁହାଯାଇଛି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣା ଚାଉଳ ଦିଆଯାଉଥିବା ନେଇ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ସମସ୍ତ ଡିଲର ଏବଂ ଫିଲ୍ଡ ଅଫିସରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ଫଳରେ ହିତାଧିକାରୀମାନେ ସରକାରଙ୍କ ମାଗଣା ଖାଦ୍ୟ ସାମଗ୍ରୀ ବଣ୍ଟନ ସମ୍ପର୍କରେ ଅଧିକ ସଚେତନ ହୋଇପାରିବେ ଓ ଲାଭ ଉଠାଇପାରିବେ । ତେବେ ରସିଦ୍ କେଉଁଠୁ ଆସିବ ଓ କେମିତି ହିତାଧିକାରୀ ଚାଉଳ ନେବାବେଳେ ପାଇବେ ସେ ନେଇ କିଛି ଚିଠିରେ ଉଲ୍ଲେଖ କରାଯାଇନାହିଁ । ଏବେ ଏହି ମାଗଣା ଚାଉଳ ଓ ରସିଦ୍‌କୁ ନେଇ ବିଜେପି-ବିଜେଡି ମୁହାଁମୁହିଁ ଅବସ୍ଥାକୁ ଆସିଯାଇଛନ୍ତି ।