ନେପାଳରେ ଭୟଙ୍କର ବିମାନ ଦୁର୍ଘଟଣା ; ୭୨ ଜଣଙ୍କର ମୃତ୍ୟୁ
ନୂଆଦିଲ୍ଲୀ : (ସଂକେତ୍ ଟିଭି) ଆଜି ନେପାଳର କାଠମାଣ୍ଡୁର ପୋଖରାରେ ହୋଇଥିବା ଭୟଙ୍କର ବିମାନ ଦୁର୍ଘଟଣାର ୭୨ ଜଣଙ୍କର ମୃତ୍ୟୁ ଆଶଂକା କରାଯାଉଛି । ଏପର୍ଯ୍ୟନ୍ତ ୧୬ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ନେପାଳର ରାଜଧାନୀ କାଠମାଣ୍ଡୁରୁ ପୋଖରା ଯାଉଥିବା ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାରେ ଶିକାର ହୋଇଥିଲା। ଏହି ବିମାନରେ ୬୮ଜଣ ଯାତ୍ରୀଙ୍କ ସହ ୪ଜଣ କ୍ରୁ ମେମ୍ବର ରହିଥିଲେ। ତେବେ ଏହି ଭୟଙ୍କର ଦୁର୍ଘଟଣାରେ ସସମ୍ତ ଯାତ୍ରୀ ଓ କ୍ରୁ ମେମ୍ବରଙ୍କର ମୃତ୍ୟୁ ହୋଇଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ୟେତି ଏୟାରଲାଇନ୍ସର ବିମାନଟି କ୍ରାଶ କରି ଯାଇଛି। ପୁରୁଣା ଏୟାରପୋର୍ଟ ଓ ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦର ମଧ୍ୟରେ ଏପରି ଘଟଣା ଘଟିଛି। ଦୁର୍ଘଟଣାଗ୍ରସ୍ତ ବିମାନରେ ୫୩ଜଣ ନେପାଳୀ, ୫ଜଣ ଭାରତୀୟ, ୪ଜଣ ରୁଷୀୟ, ଜେଣ ଆଇରିସୀୟ, ୨ଜଣ କୋରୀୟ, ଜଣେ ଆର୍ଜେଣ୍ଟାଇନୀୟ ଏବଂ ଜଣେ ଫରାସୀ ନାଗରିକ ଥିଲେ।
ନେପାଳ ବିମାନଚଳାଚଳ ମନ୍ତ୍ରଣାଳୟର ସୂଚନା ଅନୁସାରେ, ୟେତି ଏୟାରଲାଇନ୍ସର ୯ଏନ-ଏନସି ଏଟିଆର-୭୨ ବିମାନଟି ୬୮ ଜଣ ଯାତ୍ରୀ ଓ ୪ ଜଣ କ୍ରୁ ସଦସ୍ୟଙ୍କୁ ନେଇ ଦିନ ୧୦.୩୩ରେ କାଠମାଣ୍ଡୁରୁ ଉଡ଼ାଣ ଭରିଥିଲା। ଏହା ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାର ଥିଲା। ତେବେ ଉଡ଼ାଣ ଆରମ୍ଭ ହେବାର ୨୦ ମିନିଟ୍ ପରେ ବିମାନଟି ପୁରୁଣା ଏୟାରପୋର୍ଟ ଓ ନୂଆ ଏୟାରପୋର୍ଟ ମଧ୍ୟରେ ଥିବା ସେତି ନଦୀ କୂଳରେ ଖସି ପଡ଼ିଥିଲା। ଫଳରେ ଏଥିରେ ନିଆଁ ଲାଗି ଯାଇଥିଲା ବୋଲି ମନ୍ତ୍ରଣାଳୟ କହିଛି। ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହାଲ ପ୍ରଚଣ୍ଡ ଦୁର୍ଘଟଣା ପରେ ଜରୁରୀ ବୈଠକ ଡାକି ସ୍ଥିତିର ସମୀକ୍ଷା କରିଛନ୍ତି।