FeaturedLatestSports

୨୦୨୩ ବର୍ଷ ସାରା ଖେଳି ପାରିବେ ନାହିଁ ଋଷଭ ପନ୍ତ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ନୂଆ ବର୍ଷ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ଏକ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା କ୍ରିକେଟ୍ ଖେଳାଳି ଋଷଭ ପନ୍ତ ଲମ୍ବା ସମୟ ଧରି ନ ଖେଳିବାର ଆଶଙ୍କା ଦେଖାଦେଇଛି । ଏପରିକି ୨୦୨୩ରେ ବର୍ଷ ସାରା ସେ ଖେଳିପାରିବେ ନାହିଁ ବୋଲି କୁହାଯାଉଛି ।

ଏକ କ୍ରୀଡ଼ା ସମ୍ବାଦ ୱେବସାଇଟର ସୂଚନା ଅନୁସାରେ ହସପିଟାଲ ପକ୍ଷରୁ ବିସିସିଆଇକୁ ଦିଆଯାଇଥିବା ରିପୋର୍ଟରେ କୁହାଯାଇଛି ଯେ ଦୁର୍ଘଟଣାର ଗୁରୁତର ପ୍ରଭାବ ପନ୍ତଙ୍କ ଶରୀର ଉପରେ ପଡ଼ିଛି । ତାଙ୍କ ଆଣ୍ଠୁର ୩ଟି ଲିଗାମେଣ୍ଟ କ୍ଷତିଗ୍ରସ୍ତ ହୋଇଯାଇଛି । ଏହା ମଧ୍ୟରୁ ଦୁଇଟିର ଅପରେସନ ନିକଟରେ କରାଯାଇଥିଲା ଓ ଆଉ ଏକ ଲିଗାମେଣ୍ଟ ର ଅପରେସନ ନିକଟ ଭବିଷ୍ୟତରେ କରାଯିବ ।

ଏହି ମେଡିକାଲ ରିପୋର୍ଟରେ କୁହାଯାଇଛି ଯେ ପନ୍ତ ଅତିକମରେ ଆଗାମୀ ୬ ମାସ ପର୍ଯ୍ୟନ୍ତ ଖେଳିପାରିବେ ନାହିଁ । ଏହାର ସିଧାସଳଖ ଅର୍ଥ ହେଉଛି ସେ ଅଷ୍ଟ୍ରେଲିଆ ଗସ୍ତ ଓ ଆଇପିଏଲରେ ଖେଳିପାରିବେ ନାହିଁ । କିନ୍ତୁ ୬ ମାସ ପରେ ଫିଟନେସ ପ୍ରାପ୍ତ କରିବାକୁ ତାଙ୍କୁ ଆଉ କିଛି ମାସ ଲାଗିପାରେ । ଏଣୁ ବର୍ଷ ଶେଷ ବେଳକୁ ହେବାକୁ ଥିବା ବିଶ୍ୱକପରେ ବି ସେ ଖେଳିବା ନେଇ ସଂଦେହ ରହିଛି କେତେକ ବିଶେଷଜ୍ଞ କହିଛନ୍ତି ।