କ୍ରିପ୍ଟୋ ହେଉଛି ଜୁଆ ଖେଳ ଭଳି, ସବୁ କ୍ରିପ୍ଟୋ ନିଷିଦ୍ଧ ହେବା ଦରକାର : ଆରବିଆଇ ଗଭର୍ଣ୍ଣର

ନୂଆଦିଲ୍ଲୀ : (ସଂକେତ୍ ଟିଭି) ସବୁ କ୍ରିପ୍ଟୋ ନିଷିଦ୍ଧ ହେବା ଦରକାର। କ୍ରିପ୍ଟୋ ହେଉଛି ଜୁଆ ଖେଳ ଭଳି। ଯାହାର ପ୍ରସାରକୁ ରୋକାଯିବା ଆବଶ୍ୟକ । କ୍ରିପ୍ଟୋ କରେନ୍ସିକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହା କହିଛନ୍ତି ।

ବିଜନେସ୍‌ ଟୁଡେ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ଦାସ କ୍ରିପ୍ଟୋ କରେନ୍ସି ସମ୍ପର୍କିତ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ କ୍ରିପ୍ଟୋକୁ ପ୍ରୋତ୍ସାହିତ କରୁଥିବା ଏଜେନ୍ସି ବା ବ୍ୟକ୍ତି ବିଶେଷ କ୍ରିପ୍ଟୋକୁ ସମ୍ପତ୍ତି ବୋଲି କହିବା ସହିତ ଏହା ଏକ ଫାଇନାନ୍ସିଆଲ ପ୍ରଡକ୍ଟ ବୋଲି କହୁଛନ୍ତି।

ହେଲେ ପ୍ରକୃତରେ ଏହାର କୌଣସି ମୂଲ୍ୟ ନାହିଁ। ଯାହାର ‘ଅଣ୍ଡରଲାଇଂ ଭ୍ୟାଲୁ’ ନାହିଁ ତାହାକୁ ନେଇ କିଭଳି କାରବାର କରାଯିବ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି। ଏହା କେବଳ ବିଶ୍ବାସ ଉପରେ ଚାଲିଛି ଏବଂ ଶତ ପ୍ରତିଶତ ଆକଳନ କରାଯାଇ କ୍ରିପ୍ଟୋ କାରବାର ପ୍ରସାର କରାଯାଉଛି। ତେଣୁ ଏହା ଜୁଆ ନ ହୋଇ ଆଉ କ’ଣ ହୋଇପାରେ ବୋଲି ସେ ପ୍ରଶ୍ନ କରିଛନ୍ତି।

ବର୍ତ୍ତମାନ କ୍ରିପ୍ଟୋ ପ୍ରତି ଯେଭଳି ଚାହିଦା ବଢୁଛି ତାହାକୁ ମୁକାବିଲା କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ବିକଳ୍ପ ବ୍ୟବସ୍ଥା କରିଛନ୍ତି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ପାଇଲଟ ମୋଡରେ ଇ- ରୁପୟା ବା ଡିଜିଟାଲ ମୁଦ୍ରା ପ୍ରଚଳନ କରିଛନ୍ତି। ତେବେ କ୍ରିପ୍ଟୋ ପଛରେ କାର୍ଯ୍ୟ କରୁଥିବା ବ୍ଲକ୍‌ଚେନ୍‌ ପ୍ରଯୁକ୍ତି ନିଷିଦ୍ଧ ନହେଉ ବୋଲି ସେ କହିଛନ୍ତି।