ଏକ ପ୍ରତିଶତ ଧନୀଙ୍କ ପାଖରେ ରହିଛି ଦେଶର ୪୦% ସମ୍ପତ୍ତି
ନୂଆଦିଲ୍ଲୀ : (ସଂକେତ୍ ଟିଭି) ଭାରତର ୧ ପ୍ରତିଶତ ଧନୀ ବ୍ୟକ୍ତିଙ୍କ ପାଖରେ ଦେଶର ମୋଟ ସମ୍ପତ୍ତିର ୪୦ ପ୍ରତିଶତରୁ ଅଧିକ ଅଂଶ ରହିଛି । ଅନ୍ୟପଟେ ଜନସଂଖ୍ୟାର ପ୍ରାୟ ଅଧା ମାତ୍ର ୩ ପ୍ରତିଶତ ସମ୍ପତ୍ତିରେ ଜୀବନ ବିତାଉଛନ୍ତି । ଅକ୍ସଫମ ଇଣ୍ଟରନ୍ୟାସନାଲ ବିଶ୍ୱ ଆର୍ଥିକ ମଞ୍ଚର ବାର୍ଷିକ ବୈଠକର ଗୋଟିଏ ଦିନ ପୂର୍ବରୁ ନିଜର ବାର୍ଷିକ ଅସମାନତା ରିପୋର୍ଟ ଜାରି କରି କହିଛି ଯେ ଭାରତର ୧୦ ସବୁଠୁ ଧନୀ ବ୍ୟକ୍ତିଙ୍କ ଉପରେ ୫ ପ୍ରତିଶତ ଟିକସ ଲଗାଇଲେ ପିଲାଙ୍କୁ ପୁଣି ଥରେ ସ୍କୁଲକୁ ଆଣିବା ପାଇଁ ଧନରାଶି ମିଳିପାରିବ ।
ରିପୋର୍ଟରେ କୁହାଯାଇଛି ଯେ ଦେଶର ଶୀର୍ଷ ବିଲେନିୟରଙ୍କ ମଧ୍ୟରେ ସାମିଲ ଗୌତମ ଅଦାନୀଙ୍କ ୨୦୧୭-୨୦୨୧ ମଧ୍ୟରେ ଆୟ ଉପରେ ଥରେ ଟିକସ ଲଗାଇ ୧.୭୯ ଲକ୍ଷ କୋଟି ଟଙ୍କା ସଂଗ୍ରହ ହୋଇପାରିବ । ଏହି ରାଶିରେ ଗୋଟିଏ ବର୍ଷ ପାଇଁ ପାଞ୍ଚ ମିଲିୟନରୁ ଅଧିକ ଭାରତୀୟ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ରୋଜଗାର ମିଳିପାରିବ ।
ରିପୋର୍ଟରେ କୁହାଯାଇଛି ଯେ ଯଦି ଭାରତୀୟ ବିଲେନିୟରଙ୍କ ମୋଟ ସମ୍ପତ୍ତି ଉପରେ ୨ ପ୍ରତିଶତ ହାରରେ ଟ୍ୟାକ୍ସ ଲଗାଯାଏ ତେବେ ଆସନ୍ତା ତିନି ବର୍ଷରେ ଦେଶରେ କୁପୋଷଣ ଦୂର କରିବା ପାଇଁ ୪୦,୪୨୩ କୋଟି ଟଙ୍କା ସଂଗ୍ରହ କରାଯାଇପାରିବ । ଦେଶର ସବୁଠୁ ଧନୀ ୧୦ ବିଲେନିୟରଙ୍କ ଉପରେ ୫ ପ୍ରତିଶତର ଗୋଟିଏ ଥର ଟ୍ୟାକ୍ସ (୧.୩୭ ଲକ୍ଷ କୋଟି ଟଙ୍କା) ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ (୮୬,୨୦୦ କୋଟି ଟଙ୍କା) ଏବଂ ଆୟୁଷ ମନ୍ତ୍ରାଳୟର (୩,୦୫୦ କୋଟି ଟଙ୍କା)ଠାରୁ ୧.୫ ଗୁଣା ଅଧିକ ଅଟେ ।
କରୋନା ମହାମାରୀ ଆରମ୍ଭ ହେବା ପରଠୁ ୨୦୨୨ ନଭେମ୍ୱର ସୁଦ୍ଧା ଭାରତରେ ବିଲେନିୟରମାନେ ନିଜ ସମ୍ପତ୍ତିରେ ୧୨୧ ପ୍ରତିଶତ ଅର୍ଥାତ ୩,୬୦୮ କୋଟି ଟଙ୍କା ପ୍ରତିଦିନ ବୃଦ୍ଧି କରିଛନ୍ତି । ଅକ୍ସଫମ ନିଜ ରିପୋର୍ଟରେ କହିଛି ଯେ ଭାରତରେ ବିଲେନିୟରଙ୍କ ମୋଟ ସଂଖ୍ୟା ୨୦୨୦ ମସିହାର ୧୦୨ରୁ ବଢି ୨୦୨୨ରେ ୧୬୬ ହୋଇଛି । ଭାରତର ୧୦୦ ସବୁଠୁ ଧନୀ ବ୍ୟକ୍ତିଙ୍କ ମିଳିତ ସମ୍ପତ୍ତି ୬୬୦ ବିଲିୟନ ଆମେରିକୀୟ ଡଲାର (୫୪.୧୨ ଲକ୍ଷ କୋଟି ଟଙ୍କା) ହୋଇଛି।