ଭାରତକୁ ଛୁଇଁବନି ମାନ୍ଦାବସ୍ଥା: ବିଶ୍ୱବ୍ୟାଙ୍କ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଭାରତୀୟ ଅର୍ଥ ବ୍ୟବସ୍ଥାକୁ ନେଇ ବିଶ୍ୱବ୍ୟାଙ୍କ ପୁଣି ଥରେ ଆସ୍ଥା ପ୍ରକଟ କରିଛି । ବିଶ୍ୱବ୍ୟାଙ୍କ କହିଛି; ଗୋଟିଏ ପଟେ ବିଶ୍ୱର ଅର୍ଥନୀତି ମାନ୍ଦାବସ୍ଥା ମୁହାଣରେ ଛିଡା ହୋଇଥିବା ବେଳେ ଭାରତୀୟ ଅର୍ଥ ବ୍ୟବସ୍ଥା ୬.୬ ପ୍ରତିଶତ ହାରରେ ପ୍ରଗତି କରୁଛି । ଯଦି ଆଉ ଗୋଟିଏ ଝଟକା ଲାଗିବ ବୈଶ୍ୱିକ ଅର୍ଥବ୍ୟବସ୍ଥା ମାନ୍ଦାବସ୍ଥା ଖାଇକୁ ଖସି ପଡିବ । କାରଣ ବିଶ୍ୱର ସବୁ ଅର୍ଥବ୍ୟବସ୍ଥା ଏବେ ଦୁର୍ବଳ । ଆମେରିକା ହେଉ କି ୟୁରୋପ ଅଥବା ଚୀନ୍‌; ବିକାଶ ହାର ବଢାଇବା ଏବେ ସମସ୍ତଙ୍କ ଲାଗି ଚିନ୍ତାର କାରଣ ହୋଇ ପଡିଛି । ଦକ୍ଷିଣ ଏସିଆ ଉପରେ ମାନ୍ଦାବସ୍ଥାର ଏତେଟା ପ୍ରଭାବ ପଡି ନପାରେ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି; କାରଣ ଏହି କ୍ଷେତ୍ରରେ ଭାରତ ଭଳି ଅର୍ଥ ବ୍ୟବସ୍ଥା ରହିଛି ।

ଭାରତୀୟ ଅର୍ଥ ବ୍ୟବସ୍ଥା ଉପରେ ଆରମ୍ଭରୁ ବିଶ୍ୱ ବ୍ୟାଙ୍କର ଭରସା ରହିଛି । ଏଣୁ ଜାରି ଆର୍ଥିକ ବର୍ଷ ୨୦୨୨- ୨୩ରେ ଭାରତର ବିକାଶ ହାର ୬.୪ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଉଛି । ସେହିପରି ଆଗାମୀ ଆର୍ଥିକ ବର୍ଷ ନିମନ୍ତେ ବିକାଶ ଅନୁମାନକୁ ମଧ୍ୟ ବିଶ୍ୱବ୍ୟାଙ୍କ ବଢାଇଛନ୍ତି । ଦକ୍ଷିଣ ଏସିଆର ମୋଟ ଉତ୍ପାଦନରେ ୭୫ ପ୍ରତିଶତ ଯୋଗଦାନ ଭାରତର ରହୁଛି । ଏଣୁ ଜାରି ଆର୍ଥିକ ବର୍ଷର ପ୍ରଥମ ଷାଣ୍ମାସିକରେ ଭାରତର ବିକାଶ ହାର ୯.୭ ପ୍ରତିଶତ ରହିଛି । ଭାରତରେ ନିବେଶ ଓ ବ୍ୟବହାରର ଦୃଢ ଆଧାର ରହିଛି । ଏଣୁ ଆଗାମୀ ଆର୍ଥିକ ବର୍ଷରେ ମଧ୍ୟ ଭାରତ ବିଶ୍ୱର ବିକାଶଶୀଳ ଅର୍ଥ ବ୍ୟବସ୍ଥାଙ୍କ ମଧ୍ୟରେ ସବୁଠୁ ଦ୍ରୁତ ବିକାଶ ହାସଲ କରିବ ।

ତେବେ ଭାରତର ବିକାଶ ଯାତ୍ରାରେ ମୁଦ୍ରାସ୍ଫୀତି ଓ ନିଅଣ୍ଟିଆ ବାଣିଜ୍ୟ ବଡ଼ ପ୍ରତିବନ୍ଧକ । ପଟେ ମୁଦ୍ରାସ୍ଫୀତି ଉପଭୋକ୍ତା ବ୍ୟବହାର ଉପରେ ପ୍ରଭାବ ପକାଉଥିବାବେଳେ ବାଣିଜ୍ୟ ନିଅଣ୍ଟ ଦେଶର ରାଜସ୍ୱ ହ୍ରାସ କରୁଛି । ଗତ ନଭେମ୍ବର ମାସରେ ମୁଦ୍ରାସ୍ଫୀତି ୬ ପ୍ରତିଶତ ଆଖପାଖରେ ଥିଲା । ମୁଦ୍ରାସ୍ଫୀତି ଯୋଗୁ ଆରବିଆଇଙ୍କୁ ରେପୋ ରେଟରେ ୨.୨୫ ପ୍ରତିଶତ ବୃଦ୍ଧି କରିବାକୁ ପଡିଛି ।

ଅନ୍ୟପଟେ ୨୦୧୯ରୁ ଏ ପର୍ଯ୍ୟନ୍ତ ଦେଶର ବାଣିଜ୍ୟିକ ନିଅଣ୍ଟ ୨ ଗୁଣାରୁ ଅଧିକ ହୋଇ ଗଲାଣି । ଏହି ରାଜସ୍ୱ ନିଅଣ୍ଟ ପେଟ୍ରୋଲିୟମ ଉତ୍ପାଦ ଓ ଖଣିଜ ଆମଦାନୀ ଲାଗି ବଢି ବଢି ଚାଲିଛି । ଏଥିରେ ପେଟ୍ରୋଲିୟମ ଉତ୍ପାଦ ଲାଗି ୭.୬ ବିଲିୟନ ଡଲାରର ବାଣିଜ୍ୟିକ ନିଅଣ୍ଟ ହୋଇଥିବା ବେଳେ ଖଣିଜ ଆମଦାନୀ ପାଇଁ ୪.୨ ବିଲିୟନ ଡଲାରର ନିଅଣ୍ଟିଆ ଦେଖାଯାଇଛି ।