୨.୨ ଲକ୍ଷ କୋଟି ଟପିବ ରାଜ୍ୟ ବଜେଟ ଆକାର

ଭୁବନେଶ୍ବର : (ସଂକେତ୍ ଟିଭି) ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟରେ ଭିତ୍ତିଭୂମି କ୍ଷେତ୍ରଠାରୁ ଆରମ୍ଭ କରି କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ଯାଏଁ ବଜେଟ ଖର୍ଚ୍ଚ ପୂର୍ବ ବର୍ଷ ତୁଳନାରେ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ ରାଜସ୍ୱ ଆୟ ପରିମାଣ ବୃଦ୍ଧି ପାଉଥିବା ବେଳେ କ୍ରମାଗତ ଭାବେ କେନ୍ଦ୍ରୀୟ ନିର୍ଭରଶୀଳତା କମୁଛି । ସାମଗ୍ରିକ ବିକାଶକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ବିଭିନ୍ନ କ୍ଷେତ୍ରରେ ରୂପାନ୍ତରଣ କାର୍ଯ୍ୟ ଜାରି ରଖିଛନ୍ତି । ତେଣୁ ଆସନ୍ତା ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଆକାର ବଢିପାରେ ବୋଲି ଚର୍ଚ୍ଚା ହେଉଛି ।

ବଜେଟର ଆକାର ପ୍ରାୟ ୧୦ରୁ ୧୫ ପ୍ରତିଶତ ବ଼ିବାର ଯଥେଷ୍ଟ ସମ୍ଭାବନା ରହିଥିବାରୁ ବଜେଟର ଆକାର ୨.୨୦ ଲକ୍ଷ କୋଟି ଟଙ୍କା ଟପିବା ନେଇ ଆଶା କରାଯାଉଛି । ଗତ ଡିସେମ୍ବର ୩୧ ତାରିଖ ସୁଦ୍ଧା ରାଜ୍ୟରେ ଭିତ୍ତିଭୂମି କ୍ଷେତ୍ରରେ ଖର୍ଚ୍ଚ ପରିମାଣ ୫୫ ପ୍ରତିଶତକୁ ବୃଦ୍ଧି ପାଇଛି । ୨୦୨୧ ମସିହା ସମାନ ଡିସେମ୍ବର ୩୧ ତାରିଖରେ ଏହି ଖର୍ଚ୍ଚର ପରିମାଣ ୩୨.୭ ପ୍ରତିଶତ ଥିଲା ।

୨୦୨୨-୨୩ ଆର୍ଥିକ ବର୍ଷ ଶେଷ ହେବାକୁ ଆହୁରି ୩ ମାସ ଥିବା ବେଳେ ଏହି ଖର୍ଚ୍ଚ ପରିମାଣ ଯଥେଷ୍ଟ ବୃଦ୍ଧି ପାଇବା ନେଇ ଆଶା କରାଯାଉଛି । ରାଜ୍ୟରେ ଏବେ ବହୁ ବିକାଶମୂଳକ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ବିଭିନ୍ନ କ୍ଷେତ୍ରରେ ରୂପାନ୍ତରଣକୁ ସରକାର ସର୍ବାଧିକ ଗୁରୁତ୍ୱାରୋପ କରୁଛନ୍ତି । ସେହିପରି ବଜେଟ ଅର୍ଥ କିପରି ସମୟ ମଧ୍ୟରେ ଅଧିକରୁ ଅଧିକ ମାତ୍ରାରେ ଖର୍ଚ୍ଚ ହୋଇପାରିବ ସେନେଇ ରାଜ୍ୟ ସରକାର ସବୁ ବିଭାଗକୁ ସକ୍ରିୟତାର ସହ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି
ପ୍ରରିପେକ୍ଷୀରେ ଖର୍ଚ୍ଚର ପରିମାଣ ଆଶାତୀତ ବୃଦ୍ଧି ପାଇବା ନେଇ ଆକଳନ କରାଯାଉଛି । କୃଷି ତଥା ଆନୁଷଙ୍ଗିକ କ୍ଷେତ୍ରରେ ମଧ୍ୟ ଗତ ଡିସେମ୍ବର ୩୧ ତାରିଖ ସୁଦ୍ଧା ପ୍ରାୟ ୫୪ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଥିବା ବେଳେ ସାମାଜିକ କ୍ଷେତ୍ରରେ ମଧ୍ୟ ବଜେଟ ଅର୍ଥ ଖର୍ଚ୍ଚ ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ଅଧିକ ରହିଛି ।

ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର କୃଷି ଓ ଆନୁଷଙ୍ଗିକ କ୍ଷେତ୍ର, ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱାରୋପ କରିଥିଲେ । କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ପାଇଁ ପ୍ରାୟ ୨୧୧୬୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ର ପାଇଁ ପ୍ରାୟ ୪୦ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା । ଉପରୋକ୍ତ ୩ଟି କ୍ଷେତ୍ରକୁ ବିଚାରକୁ ନେଲେ ମୋଟ ୬୧ ହଜାର କୋଟିରୁ ଅଧିକ ଟଙ୍କା ଉପରୋକ୍ତ କ୍ଷେତ୍ରଗୁଡ଼ିକ ପାଇଁ ବ୍ୟୟବରାଦ କରାଯାଇଥିଲା । ଚଳିତ ଆର୍ଥିକ ବର୍ଷ ପରି ଆସନ୍ତା ଆର୍ଥିକ ବର୍ଷରେ ମଧ୍ୟ ଉପରୋକ୍ତ ୩ କ୍ଷେତ୍ରକୁ ସରକାର ଗୁରୁତ୍ୱ ଦେବା ସହ ଅଧିକ ବ୍ୟୟବରାଦ କରିବାର ଯଥେଷ୍ଟ ସମ୍ଭାବନା ରହିଥିବା କୁହାଯାଉଛି ।

ଅନ୍ୟପକ୍ଷରେ ରିଜର୍ଭ ବ୍ୟାଙ୍କର ଆକଳନ ଅନୁଯାୟୀ ୨୦୨୨- ୨୩ରେ ଦେଶର ଅଭିବୃଦ୍ଧି ହାର ୬.୮ରୁ ୭ ପ୍ରତିଶତ ମଧ୍ୟରେ ରହିବା ନେଇ ଆକଳନ କରାଯାଉଥିବା ବେଳେ ଓଡ଼ିଶାରେ ଏହା ୮ ପ୍ରତିଶତ ରହିବା ନେଇ ଆକଳନ କରାଯାଉଛି । ରାଜ୍ୟର ଆର୍ଥିକ ପରିଚାଳନା ବେଶ୍‌ ଶୃଙ୍ଖଳିତ ତଥା ଭଲ ଥିବାବେଳେ ଆଗାମୀ ବଜେଟରେ ମଧ୍ୟ ଏହା ପ୍ରତିଫଳିତ ହେବା ନେଇ ଆଶା କରାଯାଉଛି ।