ପାକିସ୍ତାନର ଅବଦୁଲ ରେହମାନ ବିଶ୍ବ ଆତଙ୍କବାଦୀ ଘୋଷିତ କଲା ମିଳିତ ଜାତିସଂଘ
ନୂଆଦିଲ୍ଲୀ : (ସଂକେତ୍ ଟିଭି) ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପାକିସ୍ତାନର ଅବଦୁଲ ରେହମାନ ମାକ୍କିକୁ ବିଶ୍ବ ଆତଙ୍କବାଦୀ ବୋଲି ଘୋଷଣା କରିଛି । ଲସ୍କର –ଇ –ତୋଇବା ମୁଖ୍ୟ ତଥା ୨୬/୧୧ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ହାଫିଜ ସଇଦର ଶାଳକ ହେଉଛି ଅବଦୁଲ ରେହମାନ ମାକ୍କି ।
ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଗତବର୍ଷ ଜୁନରେ ଅବଦୁଲ ରେହମାନଙ୍କୁ ବିଶ୍ବ ଆତଙ୍କବାଦୀ ଘୋଷଣା ପ୍ରସ୍ତାବକୁ ଚୀନ ଅଟକାଇ ଦେଇଥିଲା। ସୂଚନାଯୋଗ୍ୟ ଯେ, ଅବଦୁଲ ରେହମାନର ଭାରତର ଜମ୍ମୁ କଶ୍ମୀରରେ ବିଭିନ୍ନ ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପରେ ହାତ ରହିଛି। ଏହା ଜଣାପଡିବା ପରେ ଭାରତ ପକ୍ଷରୁ ତାକୁ ବିଶ୍ବ ଆତଙ୍କବାଦୀ ତାଲିକାରେ ସାମିଲ କରିବା ଲାଗି ଦାବି କରାଯାଇଥିଲା।