ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ କାର୍ଯ୍ୟକାଳ ୨୦୨୪ ଜୁନ ପର୍ଯ୍ୟନ୍ତ ବୃଦ୍ଧି
ନୂଆଦିଲ୍ଲୀ : (ସଂକେତ୍ ଟିଭି) ବିଜେପିର ରାଷ୍ଟ୍ରୀୟ ଅଧ୍ଯକ୍ଷ ଜେ.ପି ନଡ୍ଡାଙ୍କ କାର୍ଯ୍ଯକାଳ ଆସନ୍ତା ୨୦୨୪ ଜୁନ ମାସ ଯାଏ ବଢାଯାଇଛି । ଦିଲ୍ଲୀରେ ଅନୁଷ୍ଠିତ ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଜେ.ପି ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ଉପରେ ମୋହର ବାଜିଛି ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ସୂଚନା ଦେଇ କହିଛନ୍ତି ଯେ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ହିଁ ବିଜେପି ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ଲଢିବ । ଆସନ୍ତା ୨୦୨୪ ଜୁନ ମାସ ଯାଏ ଜେ.ପି ନଡ୍ଡା ବିଜେପିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ । ଏହି ଅବସରରେ ଶାହ କହିଛନ୍ତି, ‘ମୋଦୀ ଜୀ ଏବଂ ନଡ୍ଡା ଜୀଙ୍କ ନେତୃତ୍ୱରେ ବିଜେପି ୨୦୨୪ରେ ଆହୁରି ଅଧିକ ବହୁମତରେ ବିଜୟୀ ହେବ ଏବଂ ପୁଣି ଥରେ ମୋଦୀ ଜୀ ଦେଶର ନେତୃତ୍ୱ ପିଏମ ଭାବେ କରିବେ’।
ବିଜେପିର ଏହି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଏନଡିଏମସି କଭେନଶନ ସେଣ୍ଟରେ ଦୁଇ ଦିନ ଧରି ଚାଲିଛି । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ବିଜେପି ମହାସଚିବ(ସଂଗଠନ) ବିଏଲ ସନ୍ତୋଷ, ରାଜନାଥ ସିଂ, ନିର୍ମଳା ସୀତାରମଣ, ଏସ.ଜୟଶଙ୍କରଙ୍କ ସହ ୩୫ କେନ୍ଦ୍ରମନ୍ତ୍ରୀ, ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ଅଧ୍ୟକ୍ଷଙ୍କ ପାର୍ଟିର ପଦାଧିକାରୀ ଯୋଗ ଦେଇଛନ୍ତି ।