ବାଇକ୍, ସ୍କୁଟି, ଫ୍ରିଜ୍‌ ଥିଲେ ମିଳିବ ନାହିଁ ପ୍ରଧାନମନ୍ତ୍ରୀ ଆବାସ ଗୃହ

ଭୁବନେଶ୍ବର: (ସଂକେତ୍ ଟିଭି): ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଓଡ଼ିଶାକୁ ୮.୧୭ଲକ୍ଷ ଘର (ଫନି କ୍ଷତିଗ୍ରସ୍ତଙ୍କୁ ବାଦ୍ ଦେଇ) ମିଳିବ। ଏଥିପାଇଁ ଆଜି ସବୁ ଜିଲ୍ଲାରେ ପଞ୍ଚାୟତସ୍ତରରେ ସମ୍ଭାବ୍ୟ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇଛି।

ସରକାରୀ ୱେବ୍‌ସାଇଟ୍‌ ରୁ ଜଣାପଡୁଛି ଯେ ବାଇକ୍‌/ ସ୍କୁଟି କି ମାଛ ଧରା ଡ଼ଙ୍ଗାଟିଏ ଥିବା ଲୋକଙ୍କୁ ଆବାସ ସହାୟତାରେ ଘର ମିଳିବ ନାହିଁ। ଫ୍ରିଜ୍ ଥିଲେ ବି ଏହି ସହାୟତା ପାଇଁ ସଂପୃକ୍ତ ହିତାଧିକାରୀ ଅଯୋଗ୍ୟ। ଘରେ ଟିଭି/ ଓ୍ବାସିଂ ମେସିନ୍‌ ଥିଲେ ହିତାଧିକାରୀ ଘର ପାଇବାକୁ ଯୋଗ୍ୟ। ଅଥଚ ଫ୍ରିଜ୍ ଥିଲେ ଅଯୋଗ୍ୟ ହେବେ। ବିଶେଷଜ୍ଞମାନଙ୍କ ଯୁକ୍ତି ହେଉଛି, ହିତାଧିକାରୀଙ୍କୁ ଅଯୋଗ୍ୟ ଘୋଷିତ କରିବା ଲାଗି ଯେଉଁ ସବୁ ସର୍ତ୍ତ ରଖାଯାଇଛି, ତାହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଓ କାର୍ଯ୍ୟକ୍ରମର ପରିପନ୍ଥୀ। ଏଇଥିପାଇଁ ଯେ ଗୋଟିଏ ପଟେ ସରକାର ମହିଳାଙ୍କୁ ଉଦ୍ୟୋଗୀ କରିବାର ସ୍ବପ୍ନ ଦେଖାଉଛନ୍ତି; ମହିଳା ଏସ୍‌ଏଚ୍‌ଜିକୁ ସୁଧ ଛାଡ଼ କରୁଛନ୍ତି। ହେଲେ ସଂପୃକ୍ତ ମହିଳା ଯେବେ ତାର ବ୍ୟବସାୟ ବଢ଼ାଇବା ପାଇଁ ଋଣରେ ସ୍କୁଟିଟିଏ କିଣିଛି, ସେ ଘର ପାଇବନି।

ସେହିଭଳି ସରକାର ଡିଜିଟାଲ ଇଣ୍ଡିଆର ନାରା ଦେଉଛନ୍ତି। ଗାଁ ଗାଁରେ ଫାଇବର୍ ବିଛାଯାଉଛି। ଲୋକଙ୍କୁ ଇଣ୍ଟରନେଟ୍ ଓ ଫୋନ୍‌ ବ୍ୟବହାର କରିବାକୁ ଉତ୍ସାହିତ କରୁଛନ୍ତି। କିନ୍ତୁ ଘରକୁ ଯଦି ଲ୍ୟାଣ୍ଡଲାଇନ୍ ଫୋନ୍ ସଂଯୋଗ ଯାଇଥିବ, ତେବେ ଆବାସରେ ଘର ପାଇବା ଆଶା କରିବା ବୃଥା। ସରକାର ନିୟମ କରିଛନ୍ତି ଯିଏ ଯେମିତି ଉପାୟରେ ଆୟ କରୁଥିଲେ ବି ପ୍ରଫେସନାଲ୍ ଟ୍ୟାକ୍ସ ଦେବାକୁ ବାଧ୍ୟ। ଏପରିକି ‌ପାନ ଦୋକାନୀରୁ ଆରମ୍ଭ କରି ତେଜରାତି ଦୋକାନୀ ପର୍ଯ୍ୟନ୍ତ ସମସ୍ତେ ପ୍ରଫେସନାଲ ଟ୍ୟାକ୍ସ ଦେବେ। ହେଲେ ଥରେ ପ୍ରଫେସନାଲ୍ ଟ୍ୟାକ୍ସ ଦେଇଥିଲେ ଆବାସରେ ଘର ମିଳିବନି। ଯଦି ଜଣେ ବ୍ୟକ୍ତି ମାସକୁ ୧୦ହଜାରରୁ ଅଧିକ ଆୟ କରୁଛନ୍ତି ତେବେ ବି ଘର ମିଳିବନି। ତେଣିକି ଘରେ ୫ଜଣ ସଦସ୍ୟ ଥାନ୍ତୁ କି ୭ଜଣ। ମାସକୁ ୧୦ହଜାରରୁ ଅଧିକ ରୋଜଗାର କରୁଥିବା ଲୋକଙ୍କୁ ମଧ୍ଯ ଆବାସରେ ସହାୟତା ମିଳିବନି।