ବୃଦ୍ଧି ପାଇବ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା
ନୂଆଦିଲ୍ଲୀ : (ସଂକେତ୍ ଟିଭି) ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଆଗତ ହେବାକୁ ଥିବା ବଜେଟ୍ ରେ କେନ୍ଦ୍ରୀୟ କର୍ମଚାରୀମାନେ ବଜେଟରେ ଭଲ ଖବର ପାଇପାରିବେ ବୋଲି ଆଶା କରାଯାଉଛି। ବଜେଟରେ ଫିଟମେଣ୍ଟ ଫ୍ୟାକ୍ଟର ସମ୍ପର୍କରେ ଅର୍ଥମନ୍ତ୍ରୀଙ୍କଠାରୁ ଏକ ବଡ଼ ଘୋଷଣା ହୋଇପାରେ। ଆସନ୍ତା ବଜେଟରେ ସରକାର ଏଥିରେ ବଡ ପରିବର୍ତ୍ତନ କରିପାରନ୍ତି। ଯଦି ଏହି ପରିବର୍ତ୍ତନ ଘଟେ, ତେବେ କେନ୍ଦ୍ରୀୟ କର୍ମଚାରୀଙ୍କ ବେତନରେ ବମ୍ପର ବୃଦ୍ଧି ଘଟିବ। ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀଙ୍କ ସର୍ବନିମ୍ନ ଦରମା ୧୮୦୦୦ ଟଙ୍କା ଅଟେ। ଯଦି ଫିଟମେଣ୍ଟ ଫ୍ୟାକ୍ଟରରେ ପରିବର୍ତ୍ତନ ଆସେ, ତେବେ ଏହା ୨୬,୦୦୦ ଟଙ୍କାକୁ ବୃଦ୍ଧି ପାଇବ।
କେନ୍ଦ୍ରୀୟ କର୍ମଚାରୀଙ୍କ ବେତନରେ ଫିଟମେଣ୍ଟ ଫ୍ୟାକ୍ଟରର ଏକ ବଡ଼ ଭୂମିକା ରହିଛି। ଆଗାମୀ ୨୦୨୪ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଫିଟମେଣ୍ଟ ଫ୍ୟାକ୍ଟର୍ ସହ ଜଡିତ ଏକ ଡ୍ରାଫ୍ଟ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ ହେଉଥିବା ସୂତ୍ରରୁ ପ୍ରକାଶ ପାଇଛି। ଏହି ଡ୍ରାଫ୍ଟରେ ଫିଟମେଣ୍ଟ ଫ୍ୟାକ୍ଟରର ସଂଶୋଧନ ଉପରେ ଆଲୋଚନା ହେବାର ଆଶା କରାଯାଉଛି। କେନ୍ଦ୍ରୀୟ କର୍ମଚାରୀମାନେ ଫିଟମେଣ୍ଟ ଫ୍ୟାକ୍ଟରକୁ ୨.୫୭ ରୁ ୩.୬୮କୁ ବୃଦ୍ଧି କରିବାକୁ ଦୀର୍ଘ ଦିନ ଧରି ଦାବି କରିଆସୁଛନ୍ତି।
ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀଙ୍କ ଫିଟମେଣ୍ଟ ଫ୍ୟାକ୍ଟର୍ ହେଉଛି ୨.୫୭। ସେହି ଅନୁଯାୟୀ କେନ୍ଦ୍ରୀୟ କର୍ମଚାରୀଙ୍କୁ ୧୮୦୦୦ ବେସିକ୍ ପେ ଅନୁସାରେ (୧୮୦୦୦ X ୨.୫୭ = ୪୬୨୬୦) ଦରମା ମିଳେ। କିନ୍ତୁ ଦାବି ଅନୁସାରେ ଯଦି କେନ୍ଦ୍ର ସରକାର ଫିଟମେଣ୍ଟ ଫ୍ୟାକ୍ଟରକୁ ୩.୬୮କୁ ବୃଦ୍ଧି କରନ୍ତି ତେବେ ଅନ୍ୟ ଭତ୍ତାକୁ ବାଦ ଦେଇ ଦରମା ୨୬,୦୦୦ X ୩.୬୮ = ୯୫୬୮୦ ଟଙ୍କା ହେବ।